ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା, ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ଛତ୍ରପୁର: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଚଳିତ ସପ୍ତାହରେ ପ୍ରବଳ ବର୍ଷା ହୋଇପାରେ। ସୋମବାର ସକାଳୁ ପାଗ ମେଘୁଆ ରହିବା ସହ ଅନେକ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ହୋଇଛି। ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ସୂଚିତ କରାଯାଇଛି। ଏଣୁ ଏହାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଚାଷୀମାନଙ୍କ ନିମନ୍ତେ ଫସଲ ସୁରକ୍ଷା ସଂକ୍ରାନ୍ତୀୟ ସୂଚନା ଜାରି କରାଯିବା ସହ ଏ ନେଇ ଗାଁ ଗଣ୍ଡାରେ ପ୍ରଚାର କରାଯାଉଛି।

ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାର କୃଷି ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ଜିଲ୍ଲାରେ ସମସ୍ତ ଲାଇନ୍‌ ବିଭାଗ ସଜାଗ ରହିବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜରୁରୀ ଆଭାସୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ ରତୁରେ ୧ ଲକ୍ଷ ୭୯ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି। ବର୍ଷାଭାବ କାରଣରୁ ଜିଲ୍ଲାରେ ପ୍ରାୟ ୨୫ ହଜାର ହେକ୍ଟର ଜମିରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଆଉ ଏବେ ଅଦିନିଆ ବର୍ଷାରେ ଫସଲ ହାନୀ ଆଶଙ୍କା କରାଯାଉଛି। ଏଣୁ ଅମଳକ୍ଷମ ଧାନ ଆଗୁଆ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ତରଫରୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

ରବିବାର ସୁଦ୍ଧା ଜିଲ୍ଲାରେ ପ୍ରାୟ ୨୫ ପ୍ରତିଶତ ଅର୍ଥାତ୍‌ ୪୫ ହଜାର ହେକ୍ଟର ଜମିର ଧାନ ଚାଷ ଅମଳ ହୋଇସାରିଛି। ଧାନ କାଟି ଖଳାରେ ରଖିଥିଲେ ତୁରନ୍ତ ତାକୁ ଘୋଡ଼ାଇ ରଖିବା ବ୍ୟବସ୍ଥା କରନ୍ତୁ। ବିଲରେ ପକାଇଥିଲେ ଦିନକ ଭିତରେ ଖଳାକୁ ନେବା ବ୍ୟବସ୍ଥା କରିବାକୁ ଚାଷୀଙ୍କୁ ସତର୍କ କରାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ସାହୁ।

ଗଞ୍ଜାମ ଜିଲ୍ଲାପାଳ ସୁଚନା ଦେଇଛନ୍ତି ଯେ- ଅମଳ ଉପଯୋଗୀ ମାଣ୍ଡିଆ, କପା ଓ ଅନ୍ୟାନ୍ୟ ଫସଲକୁ ଆଜି ସୁଦ୍ଧା ଅମଳ କରି ସୁରକ୍ଷିତ ସ୍ଥାନରେ ରଖନ୍ତୁ ଚାଷୀ। ବିଳମ୍ବ କିସମ ଧାନ ଜମି, ପନିପରିବା ତଥା ରବି ଫସଲ ଏବଂ ସଦ୍ୟ ଲଗାଯାଇଥିବା ଆଳୁ କିଆରୀରୁ ବଳକା ପାଣି ନିଷ୍କାସନ ନିମନ୍ତେ ନାଳି କରି ମୁହଁ ଖୋଲା ରଖନ୍ତୁ। ଚାଷୀମାନେ ଜଳସେଚନ, ସାର ପ୍ରୟୋଗ ଓ କୀଟନାଶକ ଓଷଧ ସିଞ୍ଚନ, ରବି ଫସଲ ଲଗାଇବା କିମ୍ବା ବୁଣିବା ସାମୟିକ ସ୍ଥଗିତ ରଖନ୍ତୁ।

ବଙ୍ଗୋପସାଗର ତଟବର୍ତ୍ତୀ ଚିକିଟି, ରଙ୍ଗେଇଲୁଣ୍ଡା ସମେତ ପାହାଡିଆ ଅଞ୍ଚଳ ଥିବା ପାତ୍ରପୁର, ଦିଗପହଣ୍ଡି ଆଦି ବ୍ଲକ୍‌ରେ ବର୍ଷା ପାଣି ଜମି ରହିବା ତଥା ଭୂସ୍ଖଳନ ଆଶଙ୍କା କରାଯାଉଛି। ଏଭଳି ସ୍ଥାନଗୁଡିକ ଚିହ୍ନଟ କରି ସଜାଗ ରହିବାକୁ ସମସ୍ତ ବିଡିଓ, ତହସିଲଦାରଙ୍କୁ କୁହାଯାଇଛି। ବାତ୍ୟା ଆଶ୍ରୟ ସ୍ଥଳ ଓ ସ୍କୁଲ ଘର ଗୁଡ଼ିକରେ ଆବଶ୍ୟକ ହେଲେ ତଳିଆ ଓ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରି ରଖାଯିବ। ତେଣୁ ସେଗୁଡ଼ିକୁ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି।

ବ୍ରହ୍ମପୁର ମହାନଗରରେ ମଧ୍ୟ ପାଣି ଜମି ରହୁଥିବା ଅଞ୍ଚଳ ଗୁଡ଼ିକରେ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ବିଦ୍ୟୁତ୍‌ ଓ ଜଳଯୋଗାଣ ପୁନଃସ୍ଥାପନ ପାଇଁ ପ୍ରସ୍ତୁତ ରହିବାକୁ ସମ୍ପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି।

Comments are closed.