ଝାରସୁଗୁଡ଼ା ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୯ ଦଶମିକ ୭୫ ପ୍ରତିଶତ ମତଦାନ

ଝାରସୁଗୁଡ଼ା – ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ମତଦାନ ହାର ୯ ଦଶମିକ ୭୫ ପ୍ରତିଶତ ରହିଛି । ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ଚାଲିଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ ୯ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହେଉଛି ।
ମତଦାନ ପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା, କୋଲାବିରା, ଲଇକେରା ଓ କିର୍ମିରା ବ୍ଲକରେ ମୋଟ୍ ୨୫୩ଟି ବୁଥ୍ ପ୍ରତିଷ୍ଠା କରାଯାଇଛି । ଆଦର୍ଶ ଓ ପିଙ୍କ ବୁଥରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ବୁଥକୁ ଆସିବାକୁ ସକ୍ଷମ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ପୋଷ୍ଟାଲ ବ୍ୟାଲଟ୍ ଯୋଗେ ଭୋଟ୍ ଗ୍ରହଣ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଛି ।

ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧୦୧୨ ଜଣ ପୋଲିଂ ଅଫିସର, ୧୦୮ ଜଣ ରିଜର୍ଭ ପୋଲିଂ ଅଫିସର, ୧୦୪ ଜଣ ମହିଳା ପୋଲିଂ ଅଫିସର ରହିଛନ୍ତି । ସମସ୍ତ ୨୫୩ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି ।

Comments are closed.