ଝାରସୁଗୁଡ଼ା ମାଟିରୁ ବିରୋଧୀଙ୍କୁ ନବୀନଙ୍କ ଶାଳିନତାର ପାଠ: “ମା ଓ ମହିଳାଙ୍କୁ ଅସମ୍ମାନ ଉଚିତ ନୁହେଁ”

ଝାରସୁଗୁଡ଼ା: ମୁଖ୍ୟମନ୍ତ୍ରୀଙ୍କ ବିରୋଧୀଙ୍କୁ କଡା ଜବାବ। ନିର୍ବାଚନରେ ହାରଜିତ ଅଛି। ଏଥିରେ ଶାଳିନତା ରହିବା ଜରୁରୀ। ମା ଓ ମହିଳାଙ୍କୁ ଅପମାନ ଉଚିତ ନୁହେଁ ବୋଲି ଆଜି ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଶାଳିନତାର ପାଠ ପଢାଇଛନ୍ତି। ଝାରସୁଗୁଡ଼ାବାସୀ ସବୁ ବେଳେ ବିକାଶ ସହିତ ରହି ଆସିଛନ୍ତି ଆଉ ଆଗକୁ ମଧ୍ଯ ରହିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରି ଦିପାଳୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

ଝାରସୁଗୁଡ଼ାର ଅମଲିପାଲି ସ୍ଥିତ ନିର୍ବାଚନୀ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଏ ମାଟିର ବୀର ସୁରେନ୍ଦ୍ର ସାଏଙ୍କୁ ମନେ ପକାଇଥିଲେ। ଦିବଂଗତ ନେତା ନବ ଦାସଙ୍କ ସ୍ମୃତିଚାରଣ କରି ଏ ଅଞ୍ଚଳ ଜଣେ ଲୋକପ୍ରିୟ ନେତା ତଥା ଦକ୍ଷ ବିଧାୟକ ଓ ମନ୍ତ୍ରୀଙ୍କୁ ହରାଇଲା ବୋଲି କହିଥିଲେ। ତାଙ୍କୁ ସବୁବେଳେ ଲୋକେ ମନେ ରଖିବେ ବୋଲି କହିଥିଲେ। ନବ ବାବୁ ସବୁବେଳେ ବିକାଶକୁ ଗୁରତ୍ବ ଦେଇ ଆସୁଥିଲେ। ବର୍ତ୍ତମାନ ତାଙ୍କ ଝିଅ ଦିପାଳୀ ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ସମାଜସେବା ପ୍ରତି ତାଙ୍କର ରୁଚି ରହିଛି। ତାଙ୍କୁ ଆର୍ଶୀବାଦ କଲେ ଝାରସୁଗୁଡ଼ାର ସେବାକୁ ସେ ଦକ୍ଷତାର ସହ ତୁଳାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଝାରସୁଗୁଡ଼ାବାସୀ ସବୁ ବେଳେ ବିକାଶ ସହିତ ରହି ଆସିଛନ୍ତି ଏବଂ ଆଗକୁ ବି ରହିବେ। ଦିପାଳୀଙ୍କ ପ୍ରତି ବିରୋଧୀ ଦଳର ବ୍ୟକ୍ତିଗତ ଆକ୍ଷେପର କଡା ଜବାବ ଦେଇଛନ୍ତି ନବୀନ। ସିଧାସିଧା କହିଛନ୍ତି ଯେ, ନିର୍ବାଚନରେ ହାରଜିତ ରହିଥାଏ। ହେଲେ ଏଥିରେ ଶାଳିନତା ରହିବା ଜରୁରୀ। ପଦ୍ମପୁରରେ ଯେଭଳି ଜଣେ ବାପ ଛେଉଣ୍ଡ ଝିଅକୁ ବିରୋଧୀ ଅପମାନିତ କରି ବ୍ଯକ୍ତିଗତ ଆକ୍ଷେପ କଲେ ତାହା ଦିପାଳୀଙ୍କ କ୍ଷେତ୍ରରେ ବି କରୁଛନ୍ତି। ପଦ୍ମପୁରବାସୀ ଏହାର ଉଚିତ ଜବାବ ଦେଇଥିଲେ। ଏବେ ଝାରସୁଗୁଡ଼ାବାସୀ ମଧ୍ଯ ଏହାର ଜବାବ ଦେବେ ବୋଲି କହିଛନ୍ତି। ମା ଓ ମହିଳାଙ୍କୁ ସମ୍ମାନ ଦେଇ ଶିଖ ବୋଲି ବିରୋଧୀଙ୍କୁ ମାନବିକତାର ପାଠ ପଢାଇଛନ୍ତି ନବୀନ।

ବିଜେଡି ସରକାର ମହିଳା ସଶକ୍ତିକରଣରେ ବିଶ୍ବାସ କରେ, ଚାଷୀଙ୍କ ବିକାଶରେ ବିଶ୍ବାସ କରେ, ଯୁବ ବର୍ଗର ବିକାଶରେ ବିଶ୍ବାସ କରେ ବୋଲି କହିଛନ୍ତି। ଶିଳ୍ପ ଜଗତରେ ଝାରସୁଗୁଡ଼ାର ସ୍ବତନ୍ତ୍ର ନାଁ ରହିଛି। ଆପଣମାନଙ୍କ ଆର୍ଶୀବାଦ ହେଲେ ଦେଶର ଏକ ନମ୍ବର ଜିଲ୍ଲା ଭାବେ ଝାରସୁଗୁଡ଼ା ପରିଣତ ହେବ ବୋଲି କହିବା ସହ ଦିପାଳୀଙ୍କ ପାଇଁ ସମର୍ଥନ ଲୋଡିଥିଲେ।

ଏହି ସଭାରେ ଦିପାଳୀ ନିଜ ବାପାଙ୍କ କଥା ମନେ ପକାଇ ଭାବବିହ୍ବଳ ହୋଇପଡିଥିଲେ। ନବ ବାବୁ ଯିବା ପରେ ମୁଖ୍ୟମନ୍ତ୍ରୀ ମୋ ପରିବାର ଏବଂ ଝାରସୁଗୁଡ଼ା ପାଇଁ ବାପା ଭଳି ଛିଡା ହୋଇଛନ୍ତି ବୋଲି ପ୍ରକାଶ କରି ଭୋଟଭିକ୍ଷା କରିଛନ୍ତି। ଅନ୍ୟମାନଙ୍କ ମଧ୍ଯରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ଯ, ଦେବୀ ମିଶ୍ର, ବିଧାୟିକା ଅଳକା ମହାନ୍ତି, ବର୍ଷା ସିଂ ବରିହା ପ୍ରମୁଖ ଉଦବୋଧନ ଦେଇଥିଲେ। ଶେଷରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଧାୟକ ସାରଦା ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.