ଉତ୍ସାହ ଉଲ୍ଲାସର ସହ ଗଞ୍ଜାମରେ ପାଳିତ ହେବ ସ୍ଵାଧୀନତା ଦିବସ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ଏଥର ଉତ୍ସାହ ଉଲ୍ଲାସର ସହ ୭୭ତମ ସ୍ଵାଧୀନତା ଦିବସ ପାଳନ କରାଯିବ। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଛତ୍ରପୁରସ୍ଥିତ ପୁଲିସ ପ୍ୟାରେଡ୍‌ ପଡ଼ିଆରେ ଆୟୋଜିତ ହେବ। ସେହିପରି ବ୍ରହ୍ମପୁର ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପଡ଼ିଆରେ ଓ ଭଞ୍ଜନଗର ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମ ସେଠାକାର କେଏସ୍‌ୟ୍ଭୁବି ପଡ଼ିଆରେ ଆୟୋଜନ କରାଯିବ। ଏଥିପାଇଁ ଜିଲ୍ଲା ଓ ଉପଖଣ୍ଡ ପ୍ରଶାସନ ନିଜ ନିଜ ସ୍ତରରେ ବୈଠକ କରିବା ସହ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଜିଲ୍ଲାସ୍ତରୀୟ ଜାତୀୟ ଉତ୍ସବକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥିନିମନ୍ତେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ଯକ୍ଷତାରେ ପ୍ରସ୍ତୁତି ବୈଠକ ତାଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଥିଲା। ପୂର୍ବ ବର୍ଷ ଭଳି ଚଳିତ ଥର ମଧ୍ଯ ଏହି ଜାତୀୟ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ। ପୂର୍ବ ବର୍ଷମାନଙ୍କ ଭଳି ଚଳିତ ଥର ମଧ୍ଯ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାମଧୂନ୍‌ ଗାନ ସହ ପ୍ରଭାତଫେରି ଜିଲ୍ଲା ସଦର ମହକୁମା ସହର ଛତ୍ରପୁର ପରିକ୍ରମା କରାଯିବ। ସ୍କୁଲ ଓ କଲେଜ ସ୍ତରରେ ଓଡ଼ିଆ ଏବଂ ଇଂରାଜୀ ବକ୍ତୃତା ଓ ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆରମ୍ଭ କରାଯାଇଛି। ବିଜୟୀ ପ୍ରତିଯୋଗୀଙ୍କୁ ସ୍ଵାଧୀନତା ଦିବସ ଉତ୍ସବରେ ଜିଲ୍ଲା ଓ ଉପଖଣ୍ତସ୍ତରରେ ପୁରସ୍କୃତ କରାଯିବ। ସେହିପରି ପ୍ୟାରେଡ୍‌ ଅଭ୍ୟାସ ଅଗଷ୍ଟ ୧୧ ତାରିଖରୁ ଆରମ୍ଭ ହେବ।

ଛତ୍ରପୁର ଠାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଅଗଷ୍ଟ ୧୫ ତାରିଖ ସକାଳ ୭ଟା ୩୦ରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ପୂର୍ବାହ୍ନ ୮ଟାରେ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜରେ ଜାତୀୟ ସଙ୍ଗୀତ ଗାନପୂର୍ବକ ତ୍ରିରଙ୍ଗା ଉତ୍ତୋଳନ କରି ଦେଶ ସ୍ବାଧୀନତା ନିମନ୍ତେ ଜୀବନ ଉତ୍ସର୍ଗ କରିଥିବା ବୀର ପୁରୁଷମାନଙ୍କ ସ୍ମୃତିଚାରଣ କରାଯିବ। ପୂର୍ବାହ୍ନ ୯ଟା ୧୫ରେ ଛତ୍ରପୁର ପୁଲିସ ପ୍ୟାରେଡ୍‌ ପଡ଼ିଆ ଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ ସହ ସମ୍ମିଳିତ ପ୍ୟାରେଡ୍‌ ହେବ। ଅପରାହ୍ନ ୩ଟା ୩୦ରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଦେଶାତ୍ମବୋଧକ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ୩୦ରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଛତ୍ରପୁର ଟାଉନ୍‌ ଏକାଦଶ ମଧ୍ଯରେ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍‌ ମ୍ୟାଚ୍‌ ସ୍ଥାନୀୟ ଷ୍ଟାଡିୟମ୍‌ ଠାରେ ଖେଳାଯିବ। ସନ୍ଧ୍ୟାରେ ଜିଲ୍ଲା ସଂସ୍କୃତି ଭବନ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ କଳାକାର। ବ୍ରହ୍ମପୁର ଠାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଵାଧୀନତା ଦିବସ ପାଳନ ଦୃଷ୍ଟିରୁ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ ୟୁ.ପି.ସ୍କୁଲ ଓ ହାଇସ୍କୁଲ ଛାତ୍ରଛାତ୍ରୀ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ହାଇସ୍କୁଲ ଓ କଲେଜ ବିଦ୍ୟାର୍ଥୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

Comments are closed.