ସ୍ୱର୍ଗତ ଡାକ୍ତର ସ୍ୱାମୀଙ୍କ ଜନ୍ମଦିନରେ ସ୍ତ୍ରୀଙ୍କ ଉପହାର: କମ୍ପ୍ୟୁଟର ଶିକ୍ଷା ପାଇଁ ସ୍ୱାମୀ ପଢିଥିବା ସ୍କୁଲ୍‌କୁ ଦେଲେ ଅନୁଦାନ

ଭୁବନେଶ୍ୱର – ସ୍ୱର୍ଗତ ସ୍ୱାମୀ ପ୍ରଫେସର ଡାଃ ଚିତ୍ତରଞ୍ଜନ କରଙ୍କ ୬୦ତମ ଜନ୍ମଦିନରେ ବ୍ରହ୍ମପୁର ସ୍ଥିତ ସରକାରୀ କୁଇନ୍ ଅଫ୍ ଦି ମିଶନସ ଉଚ୍ଚ ବିଦ୍ୟାଳୟକୁ ଲକ୍ଷେ ଟଙ୍କା ଅନୁଦାନ ଦେଇଛନ୍ତି ପତ୍ନୀ ସୁମିତା ମିଶ୍ର । ମାଆଙ୍କ ପକ୍ଷରୁ ପୁଅ ପଙ୍କଜ ପ୍ରିୟଦର୍ଶୀ କର ଆଜି ଭୁବନେଶ୍ୱର ସ୍ଥିତି ଓସେପା(ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ) କାର୍ଯ୍ୟାଳୟରେ ଚେକ୍ ପ୍ରଦାନ କରିଛନ୍ତି ।

‘ମୋ ସ୍କୁଲ୍‌’ର ସଦସ୍ୟ ସଚିବ ତଥା ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଓ ‘ମୋ ସ୍କୁଲ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ ଜେନା ଚେକ୍ ଗ୍ରହଣ କରିଛନ୍ତି । ଉକ୍ତ ଟଙ୍କାରେ ‘ମୋ ସ୍କୁଲ୍‌’ ପକ୍ଷରୁ ଦୁଇ ଗୁଣା ଅନୁଦାନ ମିଶାଇ କମ୍ପ୍ୟୁଟର କ୍ରୟ ସହ ପ୍ରଶିକ୍ଷକ ନିୟୋଜିତ କରାଯିବ । ଛାତ୍ରଛାତ୍ରୀମାନେ ସୁବିଧାରେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରିପାରିବେ । ଏଭଳି କାର୍ଯ୍ୟପାଇଁ ‘ମୋ ସ୍କୁଲ୍‌’ ପକ୍ଷରୁ ସୁମିତା ମିଶ୍ରଙ୍କୁ ଧନ୍ୟବାଦ ଦିଆଯାଇଛି । ସ୍ୱର୍ଗତ କର ଏସସିବି ମେଡିକାଲ କଲେଜର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଥିଲେ । ସେ କୁଇନ୍ ଅଫ୍ ଦି ମିଶନ୍ସ ସ୍କୁଲ୍‌ର ୧୯୭୭ ବ୍ୟାଚର ଛାତ୍ର । ସବୁବେଳେ ସ୍କୁଲ୍‌ର ଉନ୍ନତି ସହ ଜଡି଼ତ ରହୁଥିଲେ । ଗତ କରୋନା ମହାମାରୀରେ ରୋଗୀସେବା ସମୟରେ ସଂକ୍ରମିତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ନିସ୍ୱାର୍ଥପର ଜନସେବା ପାଇଁ ସେ ରାଜ୍ୟରେ ବେଶ୍ ପରିଚିତ ଥିଲେ ।

ଚେକ୍ ପ୍ରଦାନ ସମୟରେ ସ୍ୱର୍ଗତ କରଙ୍କ ସ୍କୁଲ ଦିନର ସହପାଠୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଆଜି ଜନ୍ମଦିନ ଅବସରରେ ବିଦ୍ୟାଳୟ ପରିସରରେ ମଧ୍ୟ ସ୍ମୃତି ସଭା ପାଳନ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସ୍ୱର୍ଗତ କରଙ୍କ ଜୀବନୀ ଓ ଜନସେବା ସମ୍ପର୍କରେ ଅବଗତ କରାଯାଇଥିଲା ।

Comments are closed.