ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି କେତେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ଵର- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ କେତେକ ପରାମର୍ଶ ଦେଇଛନ୍ତି। ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ଆବଶ୍ୟକ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ସମ୍ପର୍କରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଉପସ୍ଥାପନା ରଖା ଯାଇଥିଲା। ଭିଡ଼ ପରିଚାଳନାକୁ ମଜବୁତ କରିବା, ଭକ୍ତମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥାକୁ ସହଜ କରିବା ଉପରେ ୫-ଟି ଅଧ୍ୟକ୍ଷ ଗୁରୁତ୍ଵାରୋପ କରିଥିଲେ।
ଏହା ସହିତ ପରିକ୍ରମା ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବା ପାଇଁ ସେ ଗୁରୁତ୍ଵ ଦେଇ କେତେକ ନିର୍ଦ୍ଦେଶ ଦେଇଥିଲେ।ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ୫-ଟି ନବୀନ ଓଡିଶା ଅଧକ୍ଷ ନିର୍ଦ୍ଦେଶ ଦେଇଥିଲେ । ମଠ ପୁନଃନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ସେବାୟତମାନଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡିର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ ୫-ଟି ଅଧ୍ୟକ୍ଷ ।

ପରିକ୍ରମା ପ୍ରକଳ୍ପର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗରେ ହୋଇଥିବା ଲ୍ୟାଣ୍ଡସ୍କାପିଂ କାମ ପ୍ରଦର୍ଶନ କରି ଏହାକୁ ତ୍ବରାନ୍ବିତ କରିବାକୁ ସେ ପରାମର୍ଶ ଦେଇଥିଲେ।
ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ । ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀମାନେ ଯେପରି ସ୍ବଚ୍ଛନ୍ଦରେ ମନ୍ଦିରରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତାକୁ ଅବରୋଧ ମୁକ୍ତ ରଖିବା ପାଇଁ ବଡ଼ ଦାଣ୍ଡ ଓ ଓଭରହେଡ୍ ଟ୍ୟାଙ୍କ ନିକଟରେ ଥିବା ଅନାବଶ୍ୟକ ନିର୍ମାଣ ହଟାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ,
ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ୫-ଟି ଅଧ୍ୟକ୍ଷ ଗୁରୁତ୍ଵାରୋପ କରିଥିଲେ।

ଏହି ପରିଦର୍ଶନ ସମୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ, ଆଇଜି, ଏସପି, ଓବିସସି ଏମଡି ଏବଂ ବିଭିନ୍ନ ଏକଜିକ୍ୟୁଟିଭ ଏଜେନ୍ସ ର ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.