ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପାଗ ଭିଡିଲା ବିଜେଡି-କର୍ମୀଙ୍କ ମତ ଲୋଡିଲେ ତୁଙ୍ଗ ନେତା

ଝାରସୁଗୁଡା : ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଜିଠାରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ନାମାଙ୍କନ ଦାଖଲ ସମୟ ବି ଆଜିଠୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ଦଳ ଭାବେ ବିଜେଡି ଏହି ନିର୍ବାଚନ ରଣାଙ୍ଗନକୁ ଅବତୀର୍ଣ ହେବାକୁ ପାଗ ଭିଡିଛି। ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପାଇଁ ଆଜି ଦଳର ତୁଙ୍ଗ ନେତାମାନେ ଝାରସୁଗୁଡାର ହୋଟେଲ ମାଇକ୍ରୋ କଣ୍ଟିନେଣ୍ଟାଲରେ ନିର୍ବାଚନ ମଣ୍ଡଳୀର ଛାମୁଆ କର୍ମୀଙ୍କ ସହ ମନ୍ସ ମନ୍ଥନ କରିଛନ୍ତି। ଆଉ ହାଇକମାଣ୍ଡ ଯାହାକୁ ପ୍ରାର୍ଥୀ କରିବେ ତାହାଙ୍କୁ ଏକତରଫା ବିଜୟୀ କରାଇବାକୁ ସଂକଳ୍ପ ନେଇଛନ୍ତି। ଏହି ସଂକଳ୍ପ ପତ୍ରକୁ ଆଜି ହାଇକମାଣ୍ଡଙ୍କୁ ପଠାଯାଇଛି।
ପ୍ରଥମ କରି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଗତ 2019ରେ ବିଜେଡି ଦଖଲ କରିଥିଲା।

ଜିଲ୍ଲାର ହେଭିୱେଟ୍ ନେତା କିଶୋର ମହାନ୍ତି ଏଠାରୁ ବିଜୟୀ ହୋଇଥିଲେ। ଆଉ ମାତ୍ର ଅଢେଇ ବର୍ଷ ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀକୁ ଏକ ଅଗ୍ରଣୀ ନିର୍ବାଚନ ମଣ୍ଡଳୀରେ ପରିଣତ କରିବାକୁ ପୂର୍ଣ ମାତ୍ରାରେ ଲାଗି ପଡିଥିଲେ। ସୀମିତ ସମୟରେ ନିର୍ବାଚନ ମଣ୍ଡଳୀରେ ବିକାଶ କାମ ଏକ ଐତିହାସିକ ରୂପ ନେଇପାରିଥିଲା। ଏପରିକି ଲୋକଙ୍କ ସହ ତାଙ୍କର ଏଭଳି ଭାବ ଯୋଡି ହୋଇଥିଲା ଯେ, ତାଙ୍କ ଆକସ୍ମିକ ବିୟୋଗ ପରେ ସମଗ୍ର ଜିଲ୍ଲାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ, ତାଙ୍କ ବିୟୋଗ ପରେ ହେବାକୁ ଥିବା ଏହି ଉପ ନିର୍ବାଚନରେ ପୁଣି ପୁରୁଣା ଆସନକୁ ଦଖଲ କରିବାକୁ ବିଜେଡି ଅଣ୍ଟା ଭିଡିଛି।

ଏହି ପରିପ୍ରେକ୍ଷୀରେ ଆଜି ଅନୁଷ୍ଠିତ ବୈଠକରେ ରାଜ୍ୟ ସାଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂ, ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ସହ ପ୍ରଭାରୀ ବିଷ୍ଣୁପ୍ରସାଦ କେଡିଆ ଯୋଗ ଦେଇଥିଲେ। ଏଥିରେ ସମଗ୍ର ନିର୍ବାଚନ ମଣ୍ଡଳୀରୁ କର୍ମୀ ଆସି ସାମିଲ ହୋଇଥିଲେ। ବୈଠକରେ ହାଇକମାଣ୍ଡ ଯାହାଙ୍କୁ ଟିକଟ ଦେବେ ତାହାଙ୍କୁ ଜିତାଇବାକୁ ସବୁ କର୍ମୀ ସଂକଳ୍ପ ନେଇଥିଲେ। ସେହିପରି ବିଜୟ ବ୍ୟବଧାନକୁ 60 ପ୍ରତିଶତରୁ ଅଧିକ ରଖିବାକୁ ରଣନୀତି ପ୍ରସ୍ତୁତ କରିବାକୁ ଆହ୍ବାନ ଦଆଯାଇଥିଲା। ବିଗତ ଦିନରେ ଏହି ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ କାମ ତଥା ନବୀନ ପଟ୍ଟୟକଙ୍କ ସ୍ବଚ୍ଛ ଶାସନକୁ ଆୟୁଧ କରି ଦଳ ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ବାର୍ତ୍ତ। ଦିଆଯାଇଥିଲା।

Comments are closed.