ପଶ୍ଚିମବଙ୍ଗ ହିଂସା ନେଇ କେନ୍ଦ୍ରର କଡ଼ା ଆଭିମୁଖ୍ୟ, ମମତା ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ କେନ୍ଦ୍ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଗୃହମନ୍ତ୍ରୀ ଅମିତ ଶାହା ରାମନବମୀ ଦିନ ଘଟିଥିବା ହିଂସାକାଣ୍ଡ ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମଙ୍ଗଳବାର (ଏପ୍ରିଲ ୪) ମମତା ସରକାର ଠାରୁ ରିପୋର୍ଟ ମାଗିଛନ୍ତି। ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କୁ ୩ ଦିନ ମଧ୍ୟରେ ଏନେଇ ଏକ ବିସ୍ତୃତ ରିପୋର୍ଟ ଦେବାକୁ କହିଛି।

ନିକଟରେ ପଶ୍ଚିମବଙ୍ଗ ବିଜେପି ସଭାପତି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ବଙ୍ଗଳାରେ ହିନ୍ଦୁମାନଙ୍କୁ ଲଗାତାର ଟାର୍ଗେଟ କରାଯାଉଛି ବୋଲି ଅଭିଯୋଗ କରିଥିଲେ । ଏହି ଚିଠି ପରେ ଗୃହ ମନ୍ତ୍ରଣାଳୟ ରାଜ୍ୟକୁ ରିପୋର୍ଟ ମାଗିଛି।

ଏହା ପୂର୍ବରୁ ଗୁରୁବାର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କ ସହ କଥା ହୋଇଥିଲେ । ଗୁରୁବାର ଦିନ ହାଓ୍ବଡାରେ ରାମ ନବମୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ବିଷୟରେ ଅମିତ ଶାହା ସେମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟପାଳ ହିଂସା ଏବଂ ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଅମିତ ଶାହାଙ୍କୁ ଅବଗତ କରାଇଥିଲେ।

ରାମନବମୀ ଦିନ ହାଓ୍ବଡାରେ ଅନେକ ଗାଡ଼ିରେ ନିଆଁ ଲଗାଇବା ସହ‌ ପଥରମାଡ଼, ଦୋକାନ ଭଙ୍ଗାରୁଜା ସହ ଲୁଟ୍ ଭଳି ଘଟଣା ଘଟିଥିଲା । ବ୍ୟାପକ ହିଂସା ପରେ ହାଓ୍ବଡାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ହାୱଡା ପରେ ରବିବାର ହୁଗଳିରେ ବି ହିଂସା ଘଟିଥିଲା ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିଜେପି କର୍ମୀମାନେ ଦଙ୍ଗା କରିବା ଲକ୍ଷ୍ୟ ନେଇ ବାହାରୁ ଭଡ଼ାଟିଆ ଗୁଣ୍ଡା ଆଣିଥିଲେ ।

Comments are closed.