ଅରୁଣାଚଳ ପ୍ରଦେଶ: ଇଟାନଗର ବଜାରରେ ଭୟଙ୍କର ଅଗ୍ନିକାଣ୍ଡ, ୭୦୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ

ଇଟାନଗର: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରର ନହରଲଗୁନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭୦୦ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ନାହିଁ। ସୂଚନାନୁସାରେ, ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ କେବଳ ଦୁଇଟି ଦୋକାନରେ ନିଆଁ ଲାଗିଥିଲା, କିନ୍ତୁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲା । ନହରଲଗୁନ ହେଉଛି ଅରୁଣାଚଳ ପ୍ରଦେଶର ସବୁଠୁ ପୁରୁଣା ବଜାର । ରାଜଧାନୀ ଇଟାନଗର ଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ଏହା ଅବସ୍ଥିତ । ଏହି ବଜାର ଠାରୁ ପୋଲିସ ଥାନା ଓ ଅଗ୍ନିଶମ କେନ୍ଦ୍ର ମଧ୍ୟ ବେଶି ଦୂର ନୁହେଁ । ପୋଲିସ କହିଛି ଯେ ନିଆଁକୁ ଆୟତ୍ତ କରିବା ପାଇଁ ତିନିଟି ଅଗ୍ନିଶମ ଦଳ ବହୁ ଘଣ୍ଟା ଧରି ସଂଘର୍ଷ କରିଥିଲେ । ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଏଥିରେ ବହୁ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା ମନେ କରାଯାଉଛି।

ମଙ୍ଗଳବାର ସକାଳେ ନହରଲାଗୁନ୍ ଦୈନିକ ବଜାରରେ ଏହି ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ସ୍ଥାନୀୟ ପୋଲିସର ସୂଚନାନୁସାରେ, ଏହି ଅଗ୍ନିକାଣ୍ଡ ପ୍ରଥମେ ସକାଳ ପ୍ରାୟ ୪ଟାରୁ ଆରମ୍ଭ ହୋଇଥିଲା ।। ଦୀପାବଳି ଅବସରରେ ବାଣ କିମ୍ବା ଦୀପ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି। ଦୋକାନଗୁଡିକ ବାଉଁଶ ଏବଂ କାଠରେ ତିଆରି ହୋଇଥିବା ବେଳେ ବଜାରରେ ବହୁ ପରିମାଣରେ ଶୁଖିଲା ଦ୍ରବ୍ୟ ମହଜୁଦ୍ ଥିବା ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା | ଏହାଛଡ଼ା କିଛି ଦୋକାନରେ ରଖାଯାଇଥିବା ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ମଧ୍ୟ ନିଆଁର ପ୍ରକୋପ ଅଧିକ ବଢ଼ି ଯାଇଥିଲା ।

Comments are closed.