ବିଷାକ୍ତ ମଦ ଯୋଗୁଁ ଗତ ୬ ବର୍ଷରେ ୭,୦୦୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଷାକ୍ତ ମଦ ପିଇ ଗତ ୬ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୭,୦୦୦ ଲୋକ ପ୍ରାଣ ହରାଇଛନ୍ତି । ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ପଞ୍ଜାବରେ ସର୍ବାଧିକ ମୃତ୍ୟୁ ରିପୋର୍ଟ ହୋଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟରୁ ଏଭଳି ଚକିତ କଲା ଭଳି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ବିହାରରେ ବିଷାକ୍ତ ମଦ କାରଣରୁ ଗତ ଦୁଇ-ତିନି ଦିନ ମଧ୍ୟରେ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ୨୦୧୬ ମସିହାରୁ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲେ ମଧ୍ୟ ଏଭଳି ଘଟଣା ଘଟୁଛି ।

ଏନସିଆରବି ତଥ୍ୟ ଅନୁଯାୟୀ, ବିଷାକ୍ତ ମଦ ଯୋଗୁଁ ୨୦୧୬ରେ ୧୦୫୩, ୨୦୧୭ରେ ୧,୫୧୦, ୨୦୧୮ରେ ୧,୩୬୫, ୨୦୧୯ରେ ୧,୨୯୬ ଏବଂ ୨୦୨୦ରେ ୯୪୭ ଲୋକଙ୍କ ଜୀବନ ଯାଇଥିଲା ।

ସୂଚନା ଅନୁଯାୟୀ, ୨୦୨୧ ମସିହାରେ ସମଗ୍ର ଦେଶରେ ବିଷାକ୍ତ ମଦ ସେବନ ସହ ଜଡିତ ୭୦୮ ମାମଲାରେ ୭୮୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟ ମଧ୍ୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ୧୩୭, ପଞ୍ଜାବରେ ୧୨୭ ଏବଂ ମଧ୍ୟପ୍ରଦେଶରେ ୧୦୮ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଏନସିଆରବି ତଥ୍ୟ ମୁତାବକ, ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ଛଅ ବର୍ଷ ମଧ୍ୟରେ ବିଷାକ୍ତ ମଦ ଯୋଗୁଁ ଭାରତରେ ମୋଟ ୬,୯୫୪ ଜଣ ପ୍ରାଣ ହରାଇଛନ୍ତି। ଅର୍ଥାତ୍ ଦେଶରେ ଦୈନିକ ତିନିରୁ ଅଧିକ ଲୋକ ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରୁଛନ୍ତି।

ତଥ୍ୟ ଅନୁଯାୟୀ, ୨୦୧୬ ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୧,୩୨୨ ମଦମୃତ୍ୟୁ ରେକର୍ଡ ହୋଇଥିଲା । ମଧ୍ୟପ୍ରଦେଶ ପରେ କର୍ଣ୍ଣାଟକରେ ୧,୦୧୩ ଏବଂ ପଞ୍ଜାବରେ ୮୫୨ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଜୁଲାଇ ୧୯, ୨୦୨୨ରେ ଲୋକସଭାରେ ବହୁଜନ ସମାଜ ପାର୍ଟି (ବିଏସପି) ସାଂସଦ କନଓ୍ବର ଦାନିଶ ଅଲିଙ୍କ ମଦ କାରଣରୁ ମୃତ୍ୟୁ ସମ୍ପର୍କରେ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଏନସିଆରବି ଆକଳନ ଉପସ୍ଥାପନ କରିଥିଲେ।

ତଥ୍ୟ ଅନୁଯାୟୀ, ୨୦୧୬ ରୁ ୨୦୨୧ ମଧ୍ୟରେ ଉତ୍ତର ପ୍ରଦେଶରେ ୪୨୫, ରାଜସ୍ଥାନରେ ୩୩୦, ଝାଡଖଣ୍ଡରେ ୪୮୭, ହିମାଚଳ ପ୍ରଦେଶରେ ୨୩୪, ହରିୟାଣାରେ ୪୮୯, ଗୁଜୁରାଟରେ ୫୪, ଛତିଶଗଡରେ ୫୩୫, ବିହାରରେ ୨୩ଟି ମଦମୃତ୍ୟୁ ମାମଲା ରୁଜୁ ହୋଇଥିଲା ।

Comments are closed.