‘ବାକ୍ ସ୍ୱାଧୀନତା ଅଧିକାର ସାବ୍ୟସ୍ତ କରୁଥିବା ଲୋକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ ହେଉ’, ଆଟର୍ଣ୍ଣି ଜେନେରାଲଙ୍କୁ ଚିଠି ଲେଖିଲେ ୭୨ ପୂର୍ବତନ ପ୍ରଶାସକ

ନୂଆଦିଲ୍ଲୀ: ବାକ୍ ସ୍ୱାଧୀନତା ଅଧିକାର ସାବ୍ୟସ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସର ନିର୍ଯ୍ୟାତନା ରୋକିବା ପାଇଁ ଦେଶର ୭୨ ଜଣ ପୂର୍ବତନ ପ୍ରଶାସକ ଭାରତର ଆଟର୍ଣ୍ଣି ଜେନେରାଲ(ଏଜି) କେ.ବେଣୁଗୋପାଳଙ୍କୁ ଖୋଲା ଚିଠି ଲେଖିଛନ୍ତି । ମତ ପ୍ରକାଶ କରୁଥିବା ଲୋକମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ସରକାରଙ୍କୁ ସେ ପରାମର୍ଶ ଦିଅନ୍ତୁ ବୋଲି ସେମାନେ ଏଜିଙ୍କୁ ଅନୁରୋଧ କରିଛନ୍ତି।

ଦେଶର ସର୍ବୋଚ୍ଚ ଆଇନ ଅଧିକାରୀ (ଆଟର୍ଣ୍ଣି ଜେନେରାଲ)ଙ୍କୁ ଲେଖିଥିବା ଚିଠିରେ ପୂର୍ବତନ ପ୍ରଶାସକମାନେ ଅଲ୍ଟ ନ୍ୟୁଜ୍ ସହପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ଲଗାତାର ହାଜତରେ ଅଟକ ରଖିବା ଏବଂ ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଂଘନ ଉପରେ ଆଲୋକପାତ କରିଛନ୍ତି।

ଚିଠିରେ କୁହାଯାଇଛି ଯେ “କେବଳ ଆଇନ ପ୍ରଣୟନକାରୀ ସଂସ୍ଥା ନୁହେଁ, ବରଂ ଲୋକଙ୍କୁ ଗିରଫ କରି ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରୁଥିବା ଆପଣଙ୍କ ଅଧିନସ୍ଥ ଅଧିକାରୀ ମାନଙ୍କ ଅତ୍ୟଧିକ ଉତ୍ସାହ ଦେଖି ଆମେ ନିରାଶ।

ଏହି ୭୨ ପୂର୍ବତନ ଅମଲାତନ୍ତ୍ରୀ କହିଛନ୍ତି ଯେ ଆଇନ ଆଗରେ ‘ସମସ୍ତେ ସମାନ’ ନୀତିର ସମର୍ଥକ ଭାବେ ‘ନୁପୁର ଶର୍ମା ଏବଂ ମହମ୍ମଦ ଜୁବେରଙ୍କ ମଧ୍ୟରେ ଭେଦଭାବ ପୂର୍ଣ୍ଣ ବ୍ୟବହାର’ ଦେଖି ଆମେ ଅତ୍ୟନ୍ତ ବିବ୍ରତ।

ଜୁଲାଇ ୧୫ ତାରିଖରେ ଲେଖାଯାଇଥିବା ଏହି ଚିଠି ଶନିବାର ସାର୍ବଜନୀନ କରାଯାଇଥିଲା।

ପୂର୍ବତନ ପ୍ରଶାସକମାନେ ବିଶେଷ କରି ସେହି ଦିଗ ଉପରେ ଆଲୋକପାତ କରିଥିଲେ ଯେଉଁଥିରେ ଏକ ସାମାନ୍ୟ ମାମଲାରେ ମହମ୍ମଦ ଜୁବେରଙ୍କ ବ୍ୟକ୍ତିଗତ ସ୍ବାଧୀନତାର ଉଲ୍ଲଂଘନ କରାଯାଇଛି । ଜୁବେରଙ୍କ ବିରୋଧରେ ଏଭଳି ମାମଲା “ଆଇନର ପରୀକ୍ଷା ଆଗରେ ତିଷ୍ଠି ପାରିବ ନାହିଁ” ବୋଲି ସେମାନେ କହିଛନ୍ତି ।

୨୦୧୮ରେ ଏକ ହିନ୍ଦୁ ଦେବତାଙ୍କ ବିଷୟରେ ଆପତ୍ତିଜନକ ଟ୍ୱିଟ ସହ ଜଡିତ ଏକ ମାମଲାରେ ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ଦିନ ଜୁବେରଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏବଂ କହିଛନ୍ତି ଯେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଅସନ୍ତୋଷର ସ୍ୱର ଜରୁରୀ ଅଟେ।

ଜାମିନ ମଞ୍ଜୁର ହେବା ସତ୍ତ୍ୱେ ଜୁବେର ଜେଲରେ ରହିବେ କାରଣ ତାଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଧାର୍ମିକ ଭାବନାକୁ ଆଘାତ ଅଭିଯୋଗରେ ଏକାଧିକ ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ କିଛି ମାମଲାରେ ସେ ବର୍ତ୍ତମାନ ଜେଲରେ ଅଛନ୍ତି ।

ଚିଠିରେ କୁହାଯାଇଛି, “ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଯେ ପୋଲିସ ଅଧିକାରୀମାନଙ୍କୁ ଆପଣ ନିର୍ଦ୍ଦେଶ ଦିଅନ୍ତୁ ଯେ ସେମାନେ ଅଭିବ୍ୟକ୍ତିର ସ୍ୱାଧୀନତା ଅଧିକାର ସାବ୍ୟସ୍ତ କରୁଥିବା ନାଗରିକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ । ଭବିଷ୍ୟତରେ ଏପରି ଲୋକଙ୍କ ବିରୋଧରେ କୌଣସି ଭିତ୍ତିହୀନ ମାମଲା ରୁଜୁ ହେବ ନାହିଁ। ଏହା ସହିତ ସରକାରୀ ଅଭିଯୁକ୍ତମାନଙ୍କୁ ଏପରି ଅଭିଯୁକ୍ତଙ୍କ ନିୟମିତ ଜାମିନ ଆବେଦନକୁ ବିରୋଧ ନକରିବାକୁ ନିର୍ଦ୍ଦେଶ ଦିଆଯିବା ଉଚିତ୍।

ଏହି ଚିଠିର ଦସ୍ତଖତକାରୀଙ୍କ ମଧ୍ୟରେ ପୂର୍ବତନ ଗୃହ ସଚିବ ଜି.କେ ପିଲ୍ଲାଇ, ପୂର୍ବତନ ମୁଖ୍ୟ ସୂଚନା କମିଶନର ୱାଜାହତ ହବିବୁଲ୍ଲା ଏବଂ ପୂର୍ବତନ ସ୍ୱାସ୍ଥ୍ୟ ସଚିବ କେ ସୁଜାତା ରାଓ ପ୍ରମୁଖ ଅଛନ୍ତି।

ଚିଠିରେ ଦର୍ଶାଯାଇଛି ଯେ ନିକଟରେ ହୋଇଥିବା ଏକ ରାୟରେ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଅନିର୍ଦ୍ଦିଷ୍ଟ କାଳ ଧରି ଲୋକଙ୍କୁ ଜେଲ କରିବା ଭାରତକୁ ‘ପୋଲିସ୍ ରାଜ୍ୟ’ରେ ପରିଣତ କରିଦେବ ।

ଏଥିରେ କୁହାଯାଇଛି, “ସଲିସିଟର ଜେନେରାଲ ନିଜେ କାହିଁକି ସବୁ ପ୍ରକାର ମାମଲାରେ ହାଜର ହୁଅନ୍ତି ଆମେ ବୁ ବୁଝିପାରୁ ନାହୁଁ। ଏପରିକି ସେ ଜାମିନକୁ ମଧ୍ୟ ବିରୋଧ କରୁଥିବା ଜଣାପଡିଛି।

Comments are closed.