ବିଶାଖାପାଟଣାରେ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ରଥଯାତ୍ରା ପାଳିତ

ବିଶାଖାପାଟଣା – ବିଶାଖାପାଟଣାରେ ଓଡ଼ିଆମାନଙ୍କ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ରଥଯାତ୍ରା ପାରମ୍ପରିକ ରୀତିନୀତି ସହ ପାଳନ କରାଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିରର ଗର୍ଭଗୃହରୁ ଶ୍ରୀବିଗ୍ରହମାନଙ୍କ ପହଣ୍ଡି କରାଯାଇ ରଥରେ ବିଜେ କରାଯାଇଥିଲା। ମନ୍ଦିର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟଙ୍କ ସହଯୋଗରେ ପୂର୍ବତଟ ରେଳପଥର ୱଲଟିୟର ଡିଭିଜନର ଡିଆରଏମ ଅନୁପ ଶତପଥୀ, ଏଡିଆରଏମ ମନୋଜ କୁମାର ସାହୁ , ଆୟକର

ବିଭାଗର କାର୍ଯ୍ୟନିର୍ବାହୀ କମିଶନର ପି.କେ ଦାଶ ଓ କମିଶନର ରାଜୀବ ସିଂହ ପ୍ରମୁଖ ଠାକୁରଙ୍କ ପହଣ୍ଡି ବିଜେରେ ଭାଗ ନେଇଥିଲେ। ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜେ.କେ ନାୟକ ରଥରେ ଛେରାପହଁରା କଲା ପରେ ସଂକୀର୍ତ୍ତନ ଧଓ ଶଙ୍ଖନାଦ ମଧ୍ୟରେ ଭକ୍ତମାନେ ବେଶ୍ ଉତ୍ସାହର ସହ ରଥ ଟାଣି ଥିଲେ ।

ଗଞ୍ଜାମରୁ ଯୋଡ଼ି ଶଙ୍ଖ ଗ୍ରୁପ୍ ରଥଟଣା ଶୋଭାଯାତ୍ରାରେ ଭାଗ ନେଇଥିଲେ । ରଥଟଣା ବେଳେ ଜୟପୁର ରାଜପରିବାରର ରାଜମାତା ମୟଙ୍କ ଦେବୀ ଉପସ୍ଥିତ ଥିଲେ । ଲସନ୍ସ ବେ’ କଲୋନୀ ସ୍ଥିତ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା ।

ରଥଟଣା ଶୋଭାଯାତ୍ରା ବେଳେ ମାରୱାଡ଼ି ଯୁବ ମଞ୍ଚ ଓ ପଞ୍ଜାବ ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାନୀୟ ଓ ସ୍ନାକ୍ସ ବଣ୍ଟନ କରାଯାଇଥିଲା। ରଥଯାତ୍ରାରେ ବହୁସଂଖ୍ୟାରେ ଭାଗ ନେଇଥିବାରୁ ଉତ୍କଳ ସାଂସ୍କୃତିକ ସମାଜର ସାଧାରଣ ସମ୍ପାଦକ ବିମଳ କୁମାର ମହନ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.