ଧର୍ମ ସଂସଦରେ ସଂଖ୍ୟାଲଘୁଙ୍କୁ ହତ୍ୟା ପାଇଁ ଖୋଲା ଆହ୍ୱାନ, ହସ୍ତକ୍ଷେପ କରିବାକୁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୭୬ ଓକିଲ

ନୂଆଦିଲ୍ଲୀ: ହରିଦ୍ଵାର ଏବଂ ଦିଲ୍ଲୀରେ ଧାର୍ମିକ ସମାବେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା ପାଇଁ ଦିଆଯାଇଥିବା ଆହ୍ଵାନରେ ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟର ୭୬ ଜଣ ଓକିଲ ଭାରତର ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କୁ ଚିଠି ଲେଖିଛନ୍ତି। ଏଥିରେ କୁହାଯାଇଛି ଯେ ଦେଶର ଧାର୍ମିକ ସ୍ୱାଧୀନତାକୁ ଦମନ କରିବାକୁ ଉଦ୍ୟମ ଚାଲିଛି। ସମ୍ମିଳନୀ ମାଧ୍ୟମରେ ନରସଂହାର ଆହ୍ବାନ ଦେଶର ସଂଖ୍ୟାଲଘୁଙ୍କ ମନରେ ଭୟ ସୃଷ୍ଟି କରିଛି। ଓକିଲମାନେ ପ୍ରଧାନ ବିଚାରପତିଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଡିସେମ୍ବର ୧୭ ରୁ ୧୯ ପର୍ଯ୍ୟନ୍ତ ହରିଦ୍ୱାରରେ ଅନୁଷ୍ଠିତ ସାଧୁସନ୍ଥଙ୍କ ସମ୍ମିଳନୀରେ ଦେଶର ସାମ୍ବିଧାନିକ ମୂଲ୍ୟବୋଧ ତଥା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ବିରୋଧରେ ଉତ୍ତେଜନା ମୂଳକ ଭାଷଣ ଦିଆଯାଇଥିଲା। ଏପରିକି ସଂଖ୍ୟାଲଘୁଙ୍କ ବିରୋଧରେ ଅସ୍ତ୍ର ଉଠାଇବାକୁ ଆହ୍ବାନ ଦିଆଯାଇଥିଲା ।

ହରିଦ୍ୱାର ଏବଂ ଦିଲ୍ଲୀରେ ଧାର୍ମିକ ସମାବେଶ ବିରୁଦ୍ଧରେ ପ୍ରଧାନ ବିଚାରପତିଙ୍କୁ ପଠାଯାଇଥିବା ଏହି ଚିଠିରେ ଦୁଷ୍ମନ୍ତ ଡାଭେ, ପ୍ରଶାନ୍ତ ଭୂଷଣ ଏବଂ ବୃନ୍ଦ ଗ୍ରୋଭର, ସଲମାନ ଖୁରସିଦ ଏବଂ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଅଞ୍ଜନା ପ୍ରକାଶଙ୍କ ସମେତ ବିଶିଷ୍ଟ ଓକିଲଙ୍କ ଦସ୍ତଖତ ରହିଛି। ଧର୍ମ ସଂସଦରେ ଦିଆଯାଇଥିବା ଭାଷଣରେ ବକ୍ତାମାନେ କେବଳ ଅଭଦ୍ର ଭାଷା ବ୍ୟବହାର କରିନାହାଁନ୍ତି ବରଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ହତ୍ୟା କରିବା ପାଇଁ ଖୋଲା ଆହ୍ୱାନ ମଧ୍ୟ ଦେଇଥିଲେ ‌।

Comments are closed.