ସମ୍ବଲପୁରରେ କର୍ଫ୍ୟୁ ପରେ ସ୍ଥିତି ସ୍ୱାଭାବିକ

ସମ୍ବଲପୁର : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ ଗତକାଲି ମଧ୍ୟରାତ୍ରୀରୁ କାର୍ଫ୍ୟୁ ଲାଗୁ ହୋଇଛି । କାର୍ଫ୍ୟୁ ପରେ ଆଜି ସକାଳେ ଦୁଇ ଘଂଟା ଓ ଅପରାହ୍ନରେ ଦୁଇ ଘଂଟା ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ କୋହଳ କରାଯାଇଥିଲା । ଏପଟେ ସହର ସାରା ୪୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ସ୍ଥିତିର ସମୀକ୍ଷା କରିବା ପାଇଁ ଡିଜିପି ସୁନିଲ ବଂଶଲ , ଏଡ଼ିଜି ଲ ଆଣ୍ଡ ଅର୍ଡର୍ ଆର.କେ ଶର୍ମା ଏବଂ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଏସ୍ ପଣ୍ଡା, ଉତ୍ତରାଂଚଳ ଆଇଜି ଡ଼ ଦୀପକ କୁମାର, ସମ୍ବଲପୁର ଏସପି ବି ଗଙ୍ଗାଧର ପ୍ରମୁଖ ସହର ସାରା ବୁଲି ଦେଖିଥିଲେ । ପରେ ଉତ୍ତରାଂଚଳ ଆଇଜିଙ୍କ ଅଫିସରେ ଏକ ଉଚ୍ଚ ସ୍ଥରୀୟ ସମୀକ୍ଷା ବୈଠକ କରିଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଅଛି ଏବଂ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ସ୍ଥିତି ଫେରିଯିବ । ଏଥିରେ ଲୋକେ ଜିଲ୍ଲାପ୍ରଶାସନକୁ ସମର୍ଥନ କରୁଥିବା ଶ୍ରୀ ବଂଶଲ ନିବେଦନ କରିଛନ୍ତି ।

ସେପଟେ ଗତକାଲି ରାତିରେ ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ୧୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ମୋଟାମୋଟି ସମ୍ବଲପୁର ସହରରେ ପୋଲିସ ମୁତୟନ ଥିବା ବେଳେ କୌଣସି ସ୍ଥାନରେ ଅପ୍ରତିକର ପରିସ୍ଥିତି ଦେଖିବାକୁ ମିଳିନାହିଁ । ଅପରପକ୍ଷରେ ଆସନ୍ତାକାଲି ୟୁପିଏସସି, ହାଇକୋର୍ଟ ଏଏସଓ ଆଦି ପରୀକ୍ଷା ଥିବା ବେଳେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସେଣ୍ଟର ସମ୍ବଲପୁରରେ ପଡିଛି । ତେଣୁ ସେମାନେ ଯେମିତି ସୁରୁଖୁରୁରେ ଆସି ପରୀକ୍ଷା ଦେଇ ପାରିବେ ସେଥିପାଇଁ କ୍ଷେତରାଜପୁର, ସମ୍ବଲପୁର ସିଟି ରେଲ ଷ୍ଟେସନ ଏବଂ ବସଷ୍ଟାଣ୍ଡରୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ବସ ବ୍ୟବସ୍ଥା କରାଯାଇଛି । ସେହିପରି ସେମାନଙ୍କ ଖାଦ୍ୟ ପାନୀୟର ମଧ୍ୟ ଯୋଗାଣ ଏସଏମସି ପକ୍ଷରୁ କରାଯାଇଥିବା ସୂଚନା ମିଳିଛି । ଉତ୍ତରାଂଚଳ ଆଇଜି ଛୁଟିରୁ ଫେରି ଗତକାଲି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିଛନ୍ତି ଓ ସହରରେ ଶାନ୍ତି ଶୃଙ୍ଖଳା ଫେରି ଆସିବ ବୋଲି ଆଶା ପ୍ରକଟ କରିବା ସହ ସମସ୍ତଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।

Comments are closed.