ମଣିପୁର ଅପେକ୍ଷା ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲକୁ ନେଇ ବେଶି ଚିନ୍ତିତ: ରାହୁଲ ଗାନ୍ଧୀ

ଆଇଜଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଣିପୁର ପ୍ରସଙ୍ଗରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଅପେକ୍ଷା ଇସ୍ରାଏଲକୁ ନେଇ ବେଶି ଚିନ୍ତିତ ବୋଲି ‌କହିଛନ୍ତି ରାହୁଲ ।

ଜାତିଗତ ବିବାଦ କାରଣରୁ ଚଳିତ ବର୍ଷ ମେ ମାସରୁ ମଣିପୁର ଅଶାନ୍ତ ହୋଇପଡିଛି ।

କଂଗ୍ରେସ ନେତା‌ ରାହୁଲ ଗାନ୍ଧୀ ଦୁଇ କିଲୋମିଟର ପଦଯାତ୍ରା ପରେ ଆଇଜଲର ରାଜ ଭବନ ନିକଟରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି, ପଡ଼ୋଶୀ ମଣିପୁର ଆଉ ଗୋଟିଏ ରାଜ୍ୟ ହୋଇ ରହିନାହିଁ ବରଂ ଜାତି ଆଧାରରେ ଦୁଇଟି ରାଜ୍ୟରେ ବିଭକ୍ତ ହୋଇଛି।

ନିର୍ବାଚନ ମୁହାଁ ମିଜୋରାମକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ରାହୁଲ କହିଛନ୍ତି, ୧୯୮୬ ମସିହାରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରି ଉତ୍ତର-ପୂର୍ବ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ କଂଗ୍ରେସ ପଥ ପ୍ରସ୍ତୁତ କରିଥିଲା ।

ସେ କହିଛନ୍ତି, “ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ପ୍ରଧାନମନ୍ତ୍ରୀ ଓ ଭାରତ ସରକାର ଇସ୍ରାଏଲରେ (ଇସ୍ରାଏଲ୍-ହାମାସ୍ ବିବାଦ) ଘଟୁଥିବା ଘଟଣାରେ ବେଶି ଆଗ୍ରହୀ, କିନ୍ତୁ ମଣିପୁରରେ କ’ଣ ଘଟୁଛି ସେ ବିଷୟରେ ଆଦୌ ଚିନ୍ତିତ ନୁହଁନ୍ତି। ମଣିପୁରରେ ଲୋକଙ୍କୁ ହତ୍ୟା କରାଗଲା, ମହିଳାଙ୍କୁ ଯୌନ ନିର୍ଯାତନା ଦିଆଗଲା । ପିଲାମାନଙ୍କୁ ମଧ୍ୟ ମାରି ଦିଆଗଲା । ”

କଂଗ୍ରେସର ପୂର୍ବତନ ସଭାପତି ଅଭିଯୋଗ କରିଛନ୍ତି ଯେ ମଣିପୁରରେ ଏତେ ସବୁ ଘଟିଲା ପରେ ମଧ୍ୟ ଆମ ଦେଶର ନେତାମାନେ ସେଠାକୁ ଯାଇ ନଥିଲେ। ସେ କହିଛନ୍ତି ମଣିପୁର ଭଳି ସମସ୍ୟାର ଲକ୍ଷଣ ଦେଶର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଆକାରରେ ଦେଖିବାକୁ ମିଳୁଛି । ଆଜି ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ, ଆଦିବାସୀ ଏବଂ ଦଳିତ ସମ୍ପ୍ରଦାୟର ଲୋକମାନେ ଅସହଜ ଅନୁଭବ କରୁଛନ୍ତି।

ମିଜୋରାମ ବିଧାନସଭା ପାଇଁ ନିର୍ବାଚନ ନଭେମ୍ବର ୭ରେ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଡିସେମ୍ବର ୩ରେ ଭୋଟ୍ ଗଣତି ସହ ଫଳାଫଳ ଘୋଷଣା ହେବ ।

ମିଜୋରାମ ନିର୍ବାଚନ ପାଇଁ କଂଗ୍ରେସ ୩୯ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।

Comments are closed.