ସତ୍ୟବାଦୀ କଣାସରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର: କହିଲେ ନବୀନ ପୁଣି ହେବେ ମୁଖ୍ୟମନ୍ତ୍ରୀ, ବିଜୁଳି ବିଲ୍ ହେବ ଛାଡ

ଭୁବନେଶ୍ୱର – ପୁରୀ ସଂସଦୀୟ କ୍ଷେତ୍ରରେ ଆଜି ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସତ୍ୟବାଦୀ କଣାସ ଅଞ୍ଚଳରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ପାଣ୍ଡିଆନ କହିଛନ୍ତି ଯେ, ସୁଆଣ୍ଡୋରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିପୀଠ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ଅଞ୍ଚଳରେ ଅନେକ ରାସ୍ତା ଓ ସେତୁ ନିର୍ମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି, ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ, ଅସହାୟ ଓ ବରିଷ୍ଠ ନାଗରିକଙ୍କ ପାଇଁ ମଧୁବାବୁ ଭତ୍ତାକୁ ୫୦୦ରୁ ୧୦୦୦ ଟଙ୍କା , ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ୫-ଟି ସ୍କୁଲ ରୂପାନ୍ତରଣ ଇତ୍ୟାଦି ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜେପି କହୁଛି ଜୁନ ୧୦ରେ ସରକାର ଗଢ଼ିବ । କିନ୍ତୁ ଜନତାଙ୍କ ଆଶୀର୍ବାଦରେ ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସରକାର ଗଢ଼ିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଶପଥ ନେବା ପରେ ପ୍ରଥମ ଦସ୍ତଖତ କରିବେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ପ୍ରାୟ ଶତପ୍ରତିଶତ ପରିବାର ବି.ଏସ୍‍.କେ.ୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତ ହେବ ମିଶନଶକ୍ତି କର୍ମୀ ଓ ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନସନ୍‍ ବ୍ୟବସ୍ଥା ।ଏହା ସେମାନଙ୍କର ବହୁ ଦିନର ଦାବି ଥିଲା ବୋଲି ପାଣ୍ଡିଆନ କହିଛନ୍ତି।

ପାଣ୍ଡିଆନ କହିଥିଲେ ଯେ, ବିଜେପି ଆସିଲେ କହୁଛି, ମିଶନ ଶକ୍ତିକୁ ବନ୍ଦ କରିବ, ବନ୍ଦ କରିବା କି ? ଆପଣମାନେ ଭୋଟରେ ଏହାର ଉତ୍ତର ଦେବେ ବୋଲି ପାଣ୍ଡିଆନ ଉପସ୍ଥିତ ଲୋକଙ୍କୁ କହିଥିଲେ । ବି.ଏସ୍‍.କେ.ୱାଇକୁ ବନ୍ଦ କରିଦେବ, ଆପଣମାନେ ଶଙ୍ଖଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବେ, ତାଙ୍କୁ କଡ଼ା ଜବାବ ମିଳିବ । ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣମାନେ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ଲୋକଙ୍କୁ ବିଜେପି ।।

ଆପଣମାନେ ଏମିତି ଲୋକଙ୍କୁ ଚିହ୍ନିକି ରଖନ୍ତୁ ବୋଲି ପାଣ୍ଡିଆନ କହିଥିଲେ।। ବିଧାୟକ ପ୍ରାର୍ଥୀ ସଞ୍ଜୟବାବୁ ଜାଣିଛନ୍ତି ସରକାରଙ୍କ ଠାରୁ କିପରି କାମ ଆଦାୟ କରିବାର ଅଛି, ସେ ଆଶୀର୍ବାଦ ପାଇଲେ ଅଞ୍ଚଳର ବିକାଶ ଡବଲ ସ୍ପିଡରେ ଆଗେଇବ । ସାଂସଦ ପ୍ରାର୍ଥୀ ଅରୂପ ବାବୁ ବମ୍ୱେରେ ଓଡ଼ିଶାର କ୍ୟାନସର ରୋଗୀଙ୍କୁ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରି ସେବା ଓ ସାହାଯ୍ୟ ଯୋଗାଇ ଦେଇଥାନ୍ତି ବୋଲି ପାଣ୍ଡିଆନ କହିଥିଲେ।

Comments are closed.