ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ

ଭୁବନେଶ୍ଵର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ । ଲୋକ ସେବା ଭବନର ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସଚିବ ସଞ୍ଜୟ ସିଂହ ଅଧ୍ୟକ୍ଷତା କରି କହିଛନ୍ତି ଯେ, ଗ୍ରାମାଞ୍ଚଳର ସଫଳତା ଏହାର ଭିଭିଭୂମି ବିକାଶ ଉପରେ ପର୍ଯ୍ୟବେସିତ । ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁ ଦାୟିତ୍ଵ । ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଡିଭଜିଜନମାନେ ବିଭାଗକୁ ଦେଉଥିବା ସମୟସୀମା ଉପରେ ଧ୍ଯାନ ଦେବା ଜରୁରୀ । ଏଣୁ ବିଭିନ୍ନ ପ୍ରକଳ୍ପ ପାଇଁ ଦିଆ ଯାଇଥିବା ଅନୁଦାନ ରାଶି ଧାର୍ଯ୍ୟ ସମୟ ମଧ୍ଯରେ ଖର୍ଚ୍ଚ ହେବା ଜରୁରୀ ।

ବିଭାଗ ଦ୍ଵାରା ପ୍ରଥମ ତ୍ରୈମାସିକରେ ୩୦ ପ୍ରତିଶତ ଓ ଦ୍ଵିତୀୟ ତ୍ରୈମାସିକ ପାଇଁ ୨୦ ପ୍ରତିଶତ ବଜେଟ ଅନୁଦାନ ଡିଭିଜନମାନଙ୍କୁ ପ୍ରଦାନ କରାଯାଇଛି । ବରଗଡ, କୋରାପୁଟ, ଜଗତସିଂପୁର ଓ ବାଲେଶ୍ଵର ଭଳି ଡିଭିଜନମାନଙ୍କରେ ତ୍ରୈମାସିକ ବ୍ୟୟ ଖୁବ ସନ୍ତୋଷଜନକ ଥିବାବେଳେ କେତେକ ଡିଭିଜନରେ ପ୍ରକଳ୍ପ ପାଇଁ ଦିଆଯାଇଥିବା ଅର୍ଥ ବିନିଯୋଗ ସନ୍ତୋଷଜନକ ହୋଇନଥିବାରୁ ସଚିବ ବିଭାଗୀୟ ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ଡିଭିଜନ ଅନ୍ୟୁନ ୩୦ ପ୍ରତିଶତ ଅନୁଦାନ ଖର୍ଚ୍ଚ କରିବା ସହ ଅଗଷ୍ଟ ମାସରେ ସମସ୍ତ ଡିଭିଜନ ସର୍ବନିମ୍ନ ୮ କୋଟି ଟଙ୍କା ଖର୍ଚ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ସଚିବ ସଞ୍ଜୟ ସିଂହ ବିଭାଗୀୟ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥୁଲେ । ଏଥିସହିତ ଶତ ପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲୁ ରଖିବାକୁ ସେ କହିଥିଲେ ।

ବିଜୁ ସେତୁ ଯୋଜନା ଅଧୀନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ୨୦୨୧ ୨୨ ଆର୍ଥକ ବର୍ଷରୁ ଚାଲୁ ରହିଥୁବା ପ୍ରକଳ୍ପଗୁଡିକର ପୂର୍ଣ୍ଣାଙ୍ଗ ରିପୋର୍ଟ ବିଭାଗକୁ ଅବଗତ କରାଇବା ସହିତ ଅସଂପୂର୍ଣ୍ଣ କାମଗୁଡିକ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ସାରିବାକୁ ସଚିବ ନିର୍ଦ୍ଦେଶ ଦେଇଥିଲେ । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବାକି ଥିବା ୧୩ ଗୋଟି ସର୍ବେକ୍ଷଣ ଅନୁସନ୍ଧାନ ରିପୋର୍ଟ ଚଳିତ ମାସ ଶେଷ ସୁଦ୍ଧା ଦାଖଲ ପାଇଁ କ୍ଷେତ୍ରାଧିକାରୀମାନଙ୍କୁ କହିବା ସହ ୩୨୦ଟି ଟେଣ୍ଡରରୁ ଅନ୍ୟୁନ ୩୦୦ଟି ଚୂଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଥୁଲେ । ଜି.ଏ.ଡି ଓ ପ୍ରଶାସନିକ ଅନୁମୋଦନକୁ ମଧ୍ଯ ଏଥି ସହିତ ସାମିଲ ହେବା ଦରକାର ବୋଲି ସଚିବ କହିଥିଲେ ।

୫ ବର୍ଷରୁ ଅଧିକ ସମୟ ଧରି ଚାଲୁଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷାପୂର୍ବକ ଏହିସବୁ ପ୍ରକଳ୍ପଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥୁଲେ । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧୀନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ସମୀକ୍ଷା କରିବା ସହ ବର୍ଷା ଦିନେ ଯେପରି ରାସ୍ତା କାମ ପ୍ରଭାବିତ ନ ହୁଏ ସେଥିପାଇଁ କୋଲ୍ଡ୍‌ ବିଟୁମେନ ପଦ୍ଧତିରେ ପିଚୁ ସଡକ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ସମସ୍ଯା ଯୋଗୁ ଅଟକି ରହିଥିବା କାମଗୁଡିକ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଯୋଗାଯୋଗ କରି ସମାଧାନର ରାସ୍ତା ବାହାର କରିବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମନ୍ଥର ଗତିରେ ଚାଲୁଥ୍‌ବା ଏବଂ ସ୍ଥଗିତ ଥିବା ପ୍ରକଳ୍ପଗୁଡିକର କାର୍ଯ୍ଯ ଉପରେ ଧ୍ଯାନଦେବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ବିଭାଗୀୟ ସଚିବ । ମୁଖ୍ୟଯନ୍ତ୍ରୀମାନେ ଏଥିପ୍ରତି ଯତ୍ନବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରାଇବେ ।

ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୁର୍ଣ୍ଣ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକୁ ତ୍ବରାନ୍ବିତ କରିବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଥୁଲା । ସେହିପରି ମୋ ସରକାର ଅଧୀନରେ ଆସୁଥୁବା ଅଭିଯୋଗ ତଥା ଏହାର ଗୁରୁତ୍ଵକୁ ଉପଲବ୍ଧି କରି ତ୍ଵରାନ୍ଵିତ ପ୍ରକ୍ରିୟାରେ ଏହାର ସମାଧାନ ଦିଗର ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟର ସମସ୍ତ ୬୦ ଗୋଟି ଡିଭିଜନ ଏବଂ ୧୩ ଟି ଇଞ୍ଜନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ଯମରେ ଏହି ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ,ସ୍ଵତନ୍ତ୍ର ଶାସନ ସଚିବସୁଦର୍ଶନ ପରିଡା, ଇ.ଆଇ.ସି ଅକ୍ଷୟ କୁମାର ପ୍ରଧାନ, ଇ.ଆଇ.ସି ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥଲେ ।

Comments are closed.