ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ, ହରିଶଙ୍କର ପୀଠର ଉନ୍ନୟନ କାର୍ଯ୍ୟର ତଦାରଖ, ଡିସେମ୍ବର ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ବଲାଙ୍ଗୀର -ପଶ୍ଚିମ ଓଡ଼ିଶା ବିକାଶ ପରିଷଦ‌ର ଅଧ୍ୟକ୍ଷ ଅସିତ ତ୍ରିପାଠୀ ହରିଶଙ୍କର ପୀଠ ପରିଦର୍ଶନ କରିଛନ୍ତି । ପୀଠ ପରିସରରେ ନିର୍ମାଣ ହେଉଥିବା ପ୍ରବେଶ ଦ୍ବାର, ବ୍ୟାରେଜ୍ ଓ ସୁରକ୍ଷା ବନ୍ଧ, ପାର୍କିଂସ୍ଥଳୀ, ଭିୟୁ ପଏଣ୍ଟ, ବାଖ୍ୟା କେନ୍ଦ୍ର ଆଦିର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ଡିସେମ୍ବର ସୁଦ୍ଧା କାମ ସାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ନୃସିଂହନାଥ ପୀଠର ଉନ୍ନତିକରଣ ସମେତ ହରିଶଙ୍କର ପୀଠର ବିକାଶ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍ ପ୍ରୋଜେକ୍ଟ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ହରିଶଙ୍କର ପୀଠ ପରିଦର୍ଶନରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସମେତ ବିଶେଷଜ୍ଞ ସଦସ୍ୟ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ପାଟଣାଗଡ ବ୍ଲକ ଅନ୍ତର୍ଗତ ରାମପୁର ଗ୍ରାମରେ ଆଇସକ୍ରିମ କାରଖାନା (ଶୀତଳିକରଣ ଭ୍ୟାନ) ମଧ୍ୟ ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନର ସହାୟତାରେ ଯୁବ ଉଦ୍ୟୋଗୀ ଜ୍ଞାନେନ୍ଦ୍ର ଜୈନ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲା ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି ‌।ପାଟଣାଗଡ ବ୍ଲକରେ ନମିତା ନାଏକ ଜଣେ ମହିଳା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ୫୫ ଲକ୍ଷ ବ୍ୟୟରେ କମର୍ସିଆଲ୍ ବ୍ରଏଲର ଫାର୍ମ ନିର୍ମାଣ କରି ଜଣେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ନମିତା ନାଏକ ଓ ତାଙ୍କ ସ୍ବାମୀ ଚିନ୍ତାମଣି ରାଉତଙ୍କୁ ଭେଟିବା ସହ ଏହି ସଫଳ ପ୍ରକଳ୍ପର ପ୍ରଶଂସା କରିଛନ୍ତି ।

ପାଟଣାଗଡ ବ୍ଲକ ସ୍ଥିତ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ । ଷ୍ଟାଡିୟମର ଭିତ୍ତିଭୂମିର ବିକାଶ ସହ ଯୁବ ଖେଳାଳିଙ୍କ ପ୍ରଶିକ୍ଷଣକୁ ଗୁରୁତ୍ବ ଦେବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ବାରା ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ନେଇ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ବୈଠକରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ସମେତ ବଲାଙ୍ଗିର ଜିଲ୍ଲାପାଳ ଓ ପଶ୍ଚମି ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.