ଘରୋଇ ସ୍ଵାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ପ୍ରସବଜନିତ ଅସ୍ତ୍ରୋପଚାରର ଅଡିଟ୍ ହେବ

ଭୁବନେଶ୍ଵର: ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏବେ ମା’ ଓ ଶିଶୁମାନଙ୍କର ଯନ୍ନ ପ୍ରତି ସକାରାତ୍ମକ ପଦକ୍ଷେପ ଗ୍ରହଣ ପୂର୍ବକ ସମସ୍ତ ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାରଗୁଡ଼ିକର ଅଡିଟ୍ କରାଯିବ । ଏ ସଂକ୍ରାନ୍ତରେ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସହରାଞ୍ଚଳର ଜନସ୍ଵାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଚଳିତ ବର୍ଷ ମଇ ମାସ ୧ ତାରିଖରୁ କାର୍ଯ୍ୟକାରୀ କରାଯିବ । ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ସମସ୍ତ ସରକାରୀ ଚିକିତ୍ସାଳୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ।

ପ୍ରାପ୍ତ ହୋଇଥିବା ସୂଚନା ଅନୁଯାୟୀ ଅସ୍ତ୍ରୋପଚାର ଜନିତ ପ୍ରସବ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ ଅନୁଯାୟୀ ( ଏନ୍‌ଏଫ୍‌ଏମ୍‌ଏସ୍‌ -୪) ୨୦୧୫- ୧୬ ଓ (ଏନ୍‌ଏଫ୍‌ଏମ୍‌ଏସ୍‌ -୫) ୨୦୧୯-୨୧ ମଧ୍ଯରେ ଏହି ପ୍ରସବଜନିତ ଅସ୍ତ୍ରୋପଚାର ହାର ୫୩.୭%ରୁ ବୃଦ୍ଧି ପାଇ ୭୦.୭%ରେ ପହଞ୍ଚିଛି, ଯାହାକି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ -‘ହୁ’ ଦ୍ଵାରା ଗଠିତ ପ୍ରଜନନ ଶିଶୁ ସ୍ଵାସ୍ଥ୍ୟ ପ୍ୟାନେଲ ଦ୍ଵାରା ସୁପାରିଶ ସ୍ତରଠାରୁ ଅଧିକ । ଏହା ସୂଚାଉଛି ଯେ ,ରାଜ୍ୟରେ ଏବେ ପ୍ରସବ ଜନିତ ଅସ୍ତ୍ରୋପଚାର ସଂପର୍କରେ ଅଡିଟ କରିବା ନିହାତି ଆବଶ୍ୟକ ।
ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ସମସ୍ତ ଘରୋଇ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ପ୍ରସବଜନିତ ଅସ୍ତ୍ରୋପଚାରର ଅଡିଟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପ୍ରସଙ୍ଗରେ ତିନୋଟି ପର୍ଯ୍ୟାୟରେ ଅଡିଟ୍ କରାଯିବ । ପ୍ରଥମେ ନିର୍ବାରିତ ଫର୍ମାଟରେ ଅଡିଟ କରାଯିବ । ପରବର୍ତ୍ତୀ ସମୟରେ ଏହାକୁ ଫର୍ମାଟ- ବିରେ ସ୍ଥାନିତ କରାଯିବ । ଜନସ୍ଵାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧ୍କକାରୀ ସଠିକ୍‌ ଭାବେ ତନଖି କରି ସାରିବା ପରେ ଫର୍ମାଟ- ସିରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟକୁ ଏହା ପଠାଯିବ । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ଜଣେ ପ୍ରୋଗ୍ରାମ ଅଫିସରଙ୍କୁ ଦାୟିତ୍ଵ ଦେବାକୁ କୁହାଯାଇଛି, ଯିଏକି ସମସ୍ତ ଘରୋଇ ସ୍ବାସ୍ଥ୍ୟସଂସ୍ଥା ସହ ସମନ୍ଵୟ ରକ୍ଷା କରି ଏହି ଅଡିଟ୍‌ କିପରି ଠିକ୍‌ ଭାବେ କାର୍ଯ୍ୟକରିବ ସେ ସଂପର୍କରେ ତଦାରଖ କରିବେ । ଆଗାମୀ ଦିନରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଏହି ଅଡିଟ୍‌ ପ୍ରଭାବଶାଳୀ ହୋଇପାରିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି ।

Comments are closed.