ମାଁ ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ, ନୂଆଁଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆରାଧ୍ଯ ଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ଚଳିତ ବର୍ଷର ନବାନ୍ନ। ଏଥିପାଇଁ ଧାର୍ଯ୍ଯ ହୋଇଥିବା ବିଛା ଲଗ୍ନ ତୁଳା ନବାଂଶେ ୧୦ଟା ୨୭ରୁ ମିନିଟରୁ ୧୦ଟା ୪୨ ମିନିଟ ମଧ୍ଯରେ ମାଁଙ୍କ ଠାରେ ନବାନ୍ନ ଅର୍ପଣ କରାଯାଇଛି। ପରେ ଅନ୍ଯ ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ଯ ନବାନ୍ନ ଅର୍ପଣ କରାଯାଇଛି। ଏହାପରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ ଘରର କୂଳଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିଛନ୍ତି। ନୂଆଁ ଧାନକୁ ଘିଅରେ ଭାଜି ସେଥିରେ ଘିଅ, ଗୁଡ, ମହୁ, ରାଶି ଆଦି ବିଭିନ୍ନ ଦ୍ରବ୍ଯ ମିଶାଇ ଚରୁ ପ୍ରସ୍ତୁତ କରାଯାଇଥାଏ। ଏହାକୁ ମାଁଙ୍କ ନିକଟରେ ଅର୍ପଣ କରାଯାଇଛି। ଏଥିପାଇଁ ୪ ଦିନ ତଳୁ ବଲବସପୁର ଗାଁର ସୁବାସ ବେହେରା ନାମକ ଜଣେ ଚାଷୀ ଆଣି ମୁଖ୍ଯ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ହସ୍ତାନ୍ତର କରିଥିଲେ। ଏହାକୁ ଶ୍ରୀ ରାୟଙ୍କ ପରିବାର ଚରୁ ପ୍ରସ୍ତୁତ କରିଥାନ୍ତି।

ସୁବାସ ଏହି ସ୍ବତନ୍ତ୍ର ସରିଆ କିସମର ଧାନକୁ କେବଳ ମାଁଙ୍କ ପାଇଁ ଉତ୍ପାଦନ କରିଥାନ୍ତି। ଆଉ ପାଚିବା ପରେ ପକ୍ଷୀ ବସିବାର ଆଶଙ୍କା ଥିବାରୁ ପୂର୍ବରୁ ସୁବାସ ଏହାକୁ ଅମଳ କରିଥାନ୍ତି।

ସେପଟେ ନୂଆଁ ଖାଇ ସାରିବା ପରେ ଜୁହାର ଭେଟର ପରମ୍ପରା ଆରମ୍ଭ ହୋଇଛି। ନିଜଠୁ ବଡମାନଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଉଛନ୍ତି ସମସ୍ତେ। ଏହାଛଡା ରଙ୍ଗାରଙ୍ଗ ସାଂସ୍କୃତିକ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ବି ବ୍ୟାପକ ପ୍ରସ୍ତୁତି ହୋଇଛି।

Comments are closed.