ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦିନର ଲେଜର ସ୍କାନିଂ ଶେଷ

ପୁରୀ – ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରଥମ ଦିନର ସ୍କାନିଂ ଶେଷ ହୋଇଛି । ରତ୍ନଭଣ୍ଡାର ବାହାର କାନ୍ଥର ସ୍କାନିଂ ଶେଷ ହୋଇଛି । ଅମୁହାଁ ଦେଉଳ ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ଡକ୍ୟୁମେଣ୍ଟେସନ୍ ହୋଇଛି । ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକ୍ୟୁମେଣ୍ଟେସନ୍ ଶେଷ ହୋଇଛି ବୋଲି ସୂଚନା ରହିଛି । କାଲି ସକାଳେ ପୁଣିଥରେ ଲେଜର ସ୍କାନିଂ କରାଯିବ । ବାହାର କାନ୍ଥର ଉତ୍ତର ଭାଗର ଲେଜର ସ୍କାନିଂ ହେବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।

ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବାକୁ ଭାରତୀୟ ପ୍ରତ୍ନତାତ୍ବିକ ସଂସ୍ଥା- ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ଅନୁମତି ଦେଇଥିଲା । ଆବଶ୍ୟକ ହେଲେ ଭିତର ରତ୍ନ ଭଣ୍ଡାରର ମଧ୍ୟ ଲେଜର ସ୍କାନିଂ କରାଯିବ । ଶ୍ରୀମନ୍ଦିର ପରିସରରେ ଥିବା ଛୋଟବଡ ମନ୍ଦିରଗୁଡିକର ମଧ୍ୟ ଲେଜର ସ୍କାନିଂ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି । ଏଣୁ ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡିଥିଲା ଏଏସଆଇ ।

ଗତ ୪ ତାରିଖରେ ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଲେଜର ସ୍କାନିଂ ପ୍ରସଙ୍ଗରେ ଆଲୋଚନା ପରେ ଏଥିପାଇଁ ଏଏସଆଇକୁ ଅନୁମତି ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ।

Comments are closed.