୫-ଟି ସଚିବଙ୍କ ଗଞ୍ଜାମ ଗସ୍ତ: ରାଜ୍ୟର ପ୍ରଗତିରେ ଭାଗିଦାରୀ ହୁଅନ୍ତୁ ମହିଳା ଓ ଯୁବ ଗୋଷ୍ଠୀ

ଛତ୍ରପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଠାରୁ ତିନିଦିନିଆ ଗଞ୍ଜାମ ଗସ୍ତ ଆରମ୍ଭ କରିଛନ୍ତି। ଏହି ତିନିଦିନରେ ସେ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀ ଏବଂ ୧୨ଟି ବ୍ଲକ୍ ତଥା ବ୍ରହ୍ମପୁର ମହାନଗର ସମେତ ୯ଟି ସହରାଞ୍ଚଳ ଗସ୍ତ କରୁଛନ୍ତି। ଏହି କ୍ରମରେ ୫-ଟି ସଚିବ ଲୋକଙ୍କ ଠାରୁ ଅଭିଯୋଗ ଶୁଣି ସେମାନଙ୍କ ଆବେଦନପତ୍ର ଗ୍ରହଣ କରିବେ, ସମସ୍ୟା ବୁଝିବେ। ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ, ସେମାନଙ୍କୁ ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବେ, ରାଜ୍ୟର ବିକାଶରେ ସେମାନଙ୍କ ଯୋଗଦାନକୁ ବ୍ୟାପକ କରିବାକୁ ଆହ୍ବାନ ଦେବେ। ଏଥିସହ ସେ ପ୍ରସିଦ୍ଧ ତାରାତାରିଣୀ ମନ୍ଦିର ପରିଦର୍ଶନ କରି ସେଠାରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ।

ନିଜ ଗସ୍ତର ପ୍ରଥମ କାର୍ଯ୍ୟକ୍ରମରେ ସେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକ୍‌ର ବୁରୁଝୁରୀ ଶନି ମନ୍ଦିର ପଡ଼ିଆରେ ଜନ ଅଭିଯୋଗ ଶୁଣାଣିରେ ଯୋଗ ଦେଇଥିଲେ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ୍‌ ଓ ଏନ୍‌ସି, ବେଗୁନିଆପଡ଼ା ବ୍ଲକ୍‌, କୋଦଳା ଏନ୍‌ଏସିର ହଜାର ହଜାର ଲୋକଙ୍କ ସମାଗମ ସେଠି ଦେଖିବାକୁ ମିଳିଥିଲା। ୫-ଟି ସଚିବ ଲୋକଙ୍କ ଅଭିଯୋଗ, ଅନୁରୋଧ ଶୁଣି ସମସ୍ୟାର ସମାଧାନ ତଥା ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବାର ଆଶ୍ଵାସନା ଦେଇଛନ୍ତି। ନିଜ ଉଦ୍‌ବୋଧନରେ ସେ କହିଥିଲେ ସବୁ ଲୋକ କହୁଛନ୍ତି ଆମ ମନ୍ଦିରକୁ ବି ଟିକେ ତାରାତାରିଣୀଙ୍କ ପୀଠ ଭଳି କରିଦିଅନ୍ତୁ ନା। ସବୁ ସ୍ଥାନରୁ ଭକ୍ତ ଆସି ମା’ ଙ୍କ ପାଖରେ ମୁଣ୍ଡିଆ ମାରୁଛନ୍ତି। ପୀଠଟି ଏମିତି ରୂପାନ୍ତରଣ ହୋଇଛି ଯେ ସମସ୍ତେ ଖୁସି ହୋଇକି ଯାଉଛନ୍ତି। ଏଥିସହ ବେଗୁନିଆପଡ଼ା ବ୍ଲକ୍ ଶାଳବଣର ସିଦ୍ଧେଶ୍ଵର ମନ୍ଦିର, କବିସୂର୍ଯ୍ୟନଗର ବ୍ଲକ୍ ଆଠଗଡପାଟଣାର ଶ୍ରୀଜଗନ୍ନାଥ ମନ୍ଦିର, ପୁରୁଷୋତ୍ତମପୁର ବ୍ଲକ୍ ଗୁପ୍ତେଶ୍ଵର ମନ୍ଦିରର ରୂପାନ୍ତରୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ଘୋଷଣା କରିଥିଲେ ସଚିବ ପାଣ୍ଡିଆନ। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ସ୍ଥାନର ସ୍କୁଲ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜର ୫-ଟି ରୂପାନ୍ତରଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା କହିଛନ୍ତି ୫-ଟି ସଚିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତୀକରଣ, ଶିକ୍ଷା ସମ୍ପର୍କିତ ବିଭିନ୍ନ ଜନହିତକର ଯୋଜନାର ବର୍ଣ୍ଣନା କରି ସାରା ରାଜ୍ୟର ଲୋକେ କିଭଳି ଏହାଦ୍ଵାରା ଉପକୃତ ହେଉଛନ୍ତି ତାହା ଦର୍ଶାଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟର ପ୍ରଗତିରେ ମହିଳା ଗୋଷ୍ଠୀର ମାଆ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ ତଥା ରାଜ୍ୟର ଯୁବଗୋଷ୍ଠୀ ଭାଗିଦାରୀ ହୁଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ସେ।

Comments are closed.