ଡିଜିଟାଲ ଫସଲ ସର୍ଭେ ଉପରେ ତାଲୁକାସ୍ତରୀୟ ପ୍ରଶିକ୍ଷକମାନଙ୍କ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଜି କୃଷି ଭବନଠାରେ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ବନ୍ଧୀୟ ତାଲୁକସ୍ତରୀୟ ପ୍ରଶିକ୍ଷକମାନଙ୍କ ଏକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଛି ।

କର୍ମଶାଳାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉଦ୍‌ଘାଟନ କରିଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଡିଜିଟାଲ୍ ଫସଲ ସର୍ଭେର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । କର୍ମଶାଳାରେ ଯୋଗଦେଇଥିବା ପ୍ରାୟ ୧୫୦ ଜଣ ପ୍ରଶିକ୍ଷକଙ୍କୁ ଡିଜିଟାଲ୍ ଫସଲ ସର୍ଭେର ସଫଳ ପରିଚାଳନା ସଂପର୍କରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଏହି ଡିଜିଟାଲ୍ ଫସଲ ସର୍ଭେ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ଓଡ଼ିଶାର ୪ଟି ଜିଲ୍ଲା ସମେତ ୧୦ଟି ଚିହ୍ନଟ ରାଜ୍ୟରେ ଖରିଫ ୨୦୨୩ ପାଇଁ ପାଇଲଟ୍‌ ଡିଜିଟାଲ୍ ଫସଲ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ସ୍ତରରେ ଏହି ପାଇଲଟ୍ ପ୍ରକଳ୍ପ ରାଜ୍ୟର ନୟାଗଡ଼ , ଭଦ୍ରକ , ନୂଆପଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଆରମ୍ଭ କରାଯାଇଛି ।

ଏହି ସର୍ଭେର ଉଦ୍ଦେଶ୍ୟ ପ୍ରତ୍ୟେକ ଯାଞ୍ଚ ହୋଇଥିବା ଜମିରେ ପ୍ରତ୍ୟେକ ଫସଲ ଋତୁରେ ଚାଷ କରାଯାଇଥିବା ପ୍ଲେଟସ୍ତରୀୟ ଫସଲକୁ ଆକଳନ କରିବା ଓ ଜିଓ ଟ୍ୟାଗ୍ ହୋଇଥିବା ଫଟୋଗୁଡ଼ିକର କ୍ଷେତ୍ରସ୍ତରୀୟ ପରିଦର୍ଶନ ମାଧ୍ୟମରେ ତଥ୍ୟକୁ ପ୍ରାମାଣିକ କରିବା । ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଣାଳୀରେ ଜମିର ସୀମା ଭିତରୁ ପ୍ରତ୍ୟେକ ଚାଷଜମି ପ୍ଲଟର ଫସଲ ସୂଚନା ସଂଗ୍ରହ କରିବାରେ ସକ୍ଷମ ହୋଇଥାଏ । ସର୍ବେକ୍ଷଣ ଯୋଜନା ପ୍ରସ୍ତୁତ କରିବା ଓ ଏହାର ସଫଳ ପରିଚାଳନା କରିବା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କୁ ଏଥୁରେ ନିୟୋଜିତ କରାଯାଇଛି । ଗ୍ରାମୀଣ ସ୍ତରରେ ନିୟୋଜିତ ସର୍ବେକ୍ଷକ ଗୋଟିଏ ମୋବାଇଲ ଆପ୍ଲିକେସନ୍‌ର ଉପଯୋଗ କରି କ୍ଷେତ୍ରସ୍ତରରେ ଫସଲର ସର୍ବେକ୍ଷଣ ନିମନ୍ତେ ଦାୟୀ ରହିବେ ।

ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଓ ବ୍ଲକ୍ ସ୍ତରର କୃଷି ଏବଂ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ପରିପ୍ରେକ୍ଷୀରେ ମୋବାଇଲ୍ ଆପ୍ଲିକେସନ୍‌ରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କର୍ମଶାଳାରେ ଫସଲ ସର୍ବେକ୍ଷଣର ଗୁରୁତ୍ଵ , ମୋବାଇଲ୍ ଆପ୍ଲିକେସନ୍ ଏବଂ ୱେବ୍‌ପୋର୍ଟାଲ ଉପରେ ସବିଶେଷ ତଥ୍ୟ ପ୍ରଦର୍ଶନ କରାଯାଇଥିଲା । ଏହାସହିତ ବିଭିନ୍ନ ଅଂଶୀଦାରର ଭୂମିକା ଓ ଦାୟିତ୍ଵ ଏବଂ ମୋବାଇଲ୍ ଆପ୍ଲିକେସନ୍‌ର ବ୍ୟବହାର ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଖରିଫ ୨୦୨୩ ଋତୁରେ ରାଜ୍ୟର ୪ଟି ଜିଲ୍ଲାରେ ଡିଜିଟାଲ୍ ଫସଲ ସର୍ବେକ୍ଷଣର ସଫଳ ରୂପାୟନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ଏବଂ ଏହାର ଅଭିଜ୍ଞତା ଆଧାରରେ କୃଷିବର୍ଷ ୨୦୨୪ – ୨୫ରୁ ସାରା ରାଜ୍ୟରେ ଡିଜିଟାଲ ସର୍ବେକ୍ଷଣ କାର୍ଯ୍ୟକାରୀ କରାଯିବ ।

Comments are closed.