ସ୍ୱଚ୍ଛ କର୍ମୀଙ୍କ ପାଇଁ ବିଏମସିର ‘ବଡା ଖାନା’ ଆୟୋଜନ

ଭୁବନେଶ୍ୱର – ବଡଦିନ ପୂର୍ବରୁ ଏବଂ ୨୦୨୩ – ୨୪ ପଥ ଉତ୍ସବ ଉଦଘାଟନୀ ଅବସରରେ ସୈନିକ ସ୍କୁଲ ନିକଟରେ ଥିବା ଟିଟିଏସ୍‌ରେ ଅନୁଷ୍ଠିତ ହୋଇଥିଲା ‘ ବଡା ଖାନା ‘ । ଟିଟିଏସ୍‌ରେ କାମ କରୁଥିବା ସ୍ୱଚ୍ଛ କର୍ମୀଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଭରି ଦେବାକୁ ଏହା ଆୟୋଜନ ହୋଇଥିଲା।

ଖୋଦ୍ କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସବୁ କର୍ମୀ ଓ ତାଙ୍କ ପରିବାର ଲୋକଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । କେବଳ କମିଶନର ନୁହଁନ୍ତି , ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ , ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଶୁଭେନ୍ଦୁ କୁମାର ସାହୁ, ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ , ଡେପୁଟି କମିଶନର ରାଜକିଶୋର ଜେନା, ସ୍ମାର୍ଟ ସିଟିର ଜେନେରାଲ ମ୍ୟାନେଜର ପୁରନ୍ଦର ନନ୍ଦ , ସହକାରୀ କମିଶନର ଏନ୍. ଗଣେଶ ବାବୁଙ୍କ ସମେତ ସମସ୍ତ ଜୋନାଲ ଡେପୁଟି କମିଶନର ସ୍ୱଚ୍ଛ କର୍ମୀମାନଙ୍କୁ ଖାଦ୍ୟ ପରିବେଷଣ କରିବା ସହ ସେମାନଙ୍କ ବଡା ଖାନାରେ ସାମିଲ ହୋଇଥିଲେ ।

କର୍ମମୟ ଜୀବନରେ ସ୍ୱଚ୍ଛ କର୍ମୀଙ୍କ ମଧ୍ୟରେ ଟିକିଏ ଆନନ୍ଦ ଭରିଦେବା ଦେବା ପାଇଁ ଟିଟିଏସ୍‌ରେ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି ଅବସରରେ ସେଠାରେ କାମ କରୁଥିବା ସମସ୍ତ ସ୍ୱଚ୍ଛକର୍ମୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ନୃତ୍ୟ ଗୀତରେ ସ୍ୱଚ୍ଛ କର୍ମୀମାନେ ଝୁମିଥିଲେ । କେବଳ ସ୍ୱଚ୍ଛ କର୍ମୀ ନୁହଁନ୍ତି, ସେମାନଙ୍କ ପରିବାର ମଧ୍ୟ ଏଥିରେ ସାମିଲ ହୋଇଥିଲେ । ପରିବାରଙ୍କ ସହ ବଡା ଖାନା ପାଳନ କରୁଥିବାରୁ ସ୍ୱଚ୍ଛ କର୍ମୀମାନେ ବେଶ ଖୁସି ବ୍ୟକ୍ତ କରିଥିଲେ ।

ସ୍ୱଚ୍ଛ କର୍ମୀ ଓ ସେମାନଙ୍କ ପିଲାଙ୍କ ମଧ୍ୟରେ ଗୀତ , ନାଚ , ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁନି କୁନି ପିଲାଙ୍କ ଦ୍ଵାରା ପରିବେଷଣ ହୋଇଥିବା ନୃତ୍ୟ ଓ ଗୀତ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଅନୁଷ୍କା ଦାସ , ତନୁସ୍କା ଦାସ , ଅଂଜନା ନାୟକ , ସଂଧ୍ୟା ମଲ୍ଲିକ , ଗୁଗୁଲ ମଲ୍ଲିକ , ଶୁଭଲକ୍ଷ୍ମୀ ( ୧ ) ଶୁଭଲକ୍ଷ୍ମୀ ( ୨ ) ଶୁଭମ ଜେନା ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ସବୁଠାରୁ ଆକର୍ଷଣୀୟ ଥିଲା ସ୍ୱଚ୍ଛ କର୍ମୀଙ୍କ ଦ୍ବାରା ସାନ୍ତାଳୀ ନୃତ୍ୟ । ଏହି ସାନ୍ତାଳୀ ନୃତ୍ୟରେ ଝୁମିଥିଲେ ସମସ୍ତ ସ୍ୱଚ୍ଛ କର୍ମୀ । ଆଉ ଏହାକୁ ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ । ଆମକୁ ସୁସ୍ଥ ରଖି ଯେଉଁମାନେ ସହରର ଅଳିଆକୁ ସଫା କରୁଛନ୍ତି ,ସେମାନଙ୍କୁ ଖୁସିରେ ରଖିବା ସହ ସେମାନଙ୍କ ମନରେ ଟିକିଏ ଆନନ୍ଦ ଭରି ଦେବା ପାଇଁ ଏହି ବଡା ଖାନାର ଆୟୋଜନ କରାଯାଇଥିଲା । ଏହା ବଡା ଖାନା ନୁହେଁ ବରଂ ଆମ ସ୍ୱଚ୍ଛତା ଦଣ୍ଡଧାରୀଙ୍କ ମାନବିକ ମୂଲ୍ୟବୋଧକୁ ସମାଜରେ ପ୍ରତିଷ୍ଠିତ କରାଇବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

Comments are closed.