ଲଘୁଚାପ ପ୍ରଭାବ : ରାଜ୍ୟରେ ୨ଟି ସ୍ଥାନରେ ଅତି ପ୍ରବଳ ଓ ୧୯ଟି ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି । ଆଜି ଓ ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ କୋରାପୁଟ ସହରରେ ସର୍ବାଧିକ ୧୬୮ ମିମି ବର୍ଷା ରେକର୍ଡ କରାଯାଇଛି। ନନ୍ଦପୁରରେ ୧୩୭ ମିମି,ସେମିଳିଗୁଡା ୧୦୩ ମିମି ଏବଂ ଜୟପୁରରେ ୧୦୦.୮ ମିମି ବର୍ଷା ରେକର୍ଡ ହୋଇଛି । ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବି ଗତକାଲିଠାରୁ ବର୍ଷା ହେଉଛି । ଆଜି ସକାଳୁ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରୁ ପ୍ରବଳ ବର୍ଷା ହୋଇଛି। ଆଜି ୯ଟି ଜିଲ୍ଲା ପାଇଁ ଅରେଞ୍ଜ ୱ।ର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୨ଟି ସ୍ଥାନରେ ଅତି ପ୍ରବଳ ଏବଂ ୧୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୨୩.୭ ମିମି ବର୍ଷା ରେକର୍ଡ କରାଯାଇଛି,ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨ ପ୍ରତିଶତ ଅଧିକ । ସର୍ବାଧିକ ହାରାହାରି ବର୍ଷା କୋରାପୁଟ ଜିଲ୍ଲାରେ ୭୩.୮ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୭ ମିମି ତୁଳନାରେ ୬୬୧ ପ୍ରତିଶତ ଅଧିକ ।

Comments are closed.