ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦେଖିଲେ ହକି ଇଣ୍ଡିଆ ପ୍ରତିନିଧି ଦଳ

ରାଉରକେଲା -ହକି ଇଣ୍ଡିଆର ଏକ ଉଚ୍ଚ ପ୍ରତିନିଧି ଦଳ ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାମ ବୁଲି ଦେଖିଛନ୍ତି । ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ, ଚେଞ୍ଜିଙ୍ଗ ରୁମ ଆଦି ବୁଲି ଦେଖିଛନ୍ତି ହକି ଇଣ୍ଡିଆ ଟିମ୍ ।

ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. ଶ୍ରୀବାସ୍ତବ ପ୍ରମୁଖ ସାମିଲ ଥିଲେ। ହକି ବିଶ୍ୱକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ।

୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ହକି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଥିଲେ। ହକିର ଗଡ଼ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି। ତେଣୁ ଏହାକୁ ସ୍ମରଣୀୟ କରିବା ଉପରେ ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।

୨୦୨୩ ଜାନୁଆରି ମାସରେ ହେବାକୁ ଥିବା ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର ସହିତ ରାଉରକେଲାରେ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏଥିପାଇଁ ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ନୂଆ ଷ୍ଟାଡିୟମର ଦର୍ଶକ କ୍ଷମତା ୨୦ ହଜାରରୁ ଅଧିକ ହେବ ।

Comments are closed.