ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା : ମାସେ ମଧ୍ୟରେ ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ସରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ସବୁ ପଞ୍ଚାୟତରେ ପହଞ୍ଚିଲା ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ଅକ୍ଟୋବର ୧୦ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ, ଏକ ମାସ ସମୟସୀମା ମଧ୍ୟରେ ମାତ୍ର ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଛି ଏହି କାର୍ଯ୍ୟକ୍ରମ। ରେକର୍ଡ ୧୩ ଦିନର କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦୁଝରରୁ ଆରମ୍ଭ ହୋଇ ଉତ୍ସାହ ଆନନ୍ଦର ସହ ବାଣର ଶବ୍ଦ ଓ ଆଲୋକର ଫୁଆରା ମଧ୍ୟରେ ଯାଜପୁରରେ ଉଦ୍‌ଯାପନ ହୋଇଛି ଏହି କାର୍ଯ୍ୟକ୍ରମ। ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୬.୫୦ ଲକ୍ଷ ଲୋକ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ଜନସାଧାରଣ, ଲୋକ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଲେ ୫ଟି ଓ ‘ନବୀନ ଓଡିଶା’ ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଏହା ସହିତ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମି ସୁଦୃଢ ହେବାର ଅଭିଯାନ ଆଜି ରାଜ୍ୟର ସବୁ ଜିଲ୍ଲା, ସବୁ ବ୍ଲକ, ସବୁ ପଞ୍ଚାୟତ ଓ ସବୁ ଗାଁରେ ପହଞ୍ଜି ପାରିଛି। ସାରା ରାଜ୍ୟରେ ୩,୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।

ଏହି କାର୍ଯ୍ୟକ୍ରମର ଫୋକସ୍‌ ହୋଇଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅନ୍ତିମ ଦିନରେ କୋରାପୁଟ, ନୂଆପଡା ଓ ଯାଜପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଏଥିପାଇଁ କୋରାପୁଟ ଜିଲ୍ଲାର  ୫ଟି ନିର୍ବାଚନମଣ୍ଡଳୀକୁ ମିଳିଛି      ୧୨୦ କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ଲକ୍ଷ୍ମୀପୁର, କୋଟପାଡ, ଜୟପୁର, କୋରାପୁଟ ଓ ପଟାଙ୍ଗୀ।  ଏହିସବୁ ନିର୍ବାଚନ ମଣ୍ଡଳୀର   ୧୪ଟି ବ୍ଲକ୍‌‌ର       ୨୪୦ଟି ଗ୍ରାମ ପଞ୍ଚାୟତରେ   ୩୦୮୭ଟି ପ୍ରକଳ୍ପ ହେବ। ସେହିପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ  ୬୫.୫୦ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ନୂଆପଡା ଓ ଖରିଆର।  ଏଥିରେ ୫ଟି ବ୍ଲକ୍‌ର ୧୩୧ଟି   ଗ୍ରାମପଞ୍ଚାୟତରେ ୧୭୬୫ଟି ପ୍ରକଳ୍ପ କରାଯିବ। ସେହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି  ୧୫୫.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଯାଜପୁର, ବିଞ୍ଝାରପୁର, ବଡଚଣା, ବରି, ସୁକିନ୍ଦା, ଧର୍ମଶାଳା ଓ କୋରେଇ। ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍‌‌ର   ୩୧୧ଟି  ଗ୍ରାମ ପଞ୍ଚାୟତରେ ୪୧୦୯ଟି ପ୍ରକଳ୍ପ ହେବ।

ଆଜିର କାର୍ଯ୍ୟକ୍ରମ ପାଇଁ କୋରାପୁଟ ଜିଲ୍ଲାର ୫ଟି, ନୂଆପଡା ଜିଲ୍ଲାର ୨ଟି ଓ ଯାଜପୁର ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। କୋରାପୁଟରେ ୭୦ ହଜାରରୁ ଅଧିକ ଓ ଯାଜପୁରରେ ୮୦ ହଜାରରୁ ଅଧିକ ଲୋକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ୮୦ ପ୍ରତିଶତ ହେଉଛନ୍ତି ମା’ମାନେ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ  ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଏକ ଅଭିନବ କାର୍ଯ୍ୟକ୍ରମ । ଗାଁରେ ଆଧୁନିକ ବିକାଶର ଭିତ୍ତି ପକେଇବା ପାଇଁ ଏହା ପରିକଳ୍ପନା କରାଯାଇଛି। ଜଗନ୍ନାଥ  ସଂସ୍କୃତିକୁ ସାଥିରେ ଧରି, ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡିଶାର ଗାଁଗୁଡିକ ଆଗକୁ ବଢୁଛନ୍ତି । ସେ କହିଥିଲେ ଯେ ବିକାଶର ନୂଆ ଇତିହାସ ଲେଖୁଛି ‘ଆମ ଓଡିଶା ନବୀନ ଓଡିଶା’ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ  ସଂସ୍କୃତିର ସମନ୍ୱୟ ଏକ ସଶକ୍ତ ଓଡିଶା ଗଠନର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ।

ସେ ପୁଣି କହିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି। ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ।  ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ। ୱର୍କସ ହବ୍  ହେବ। ବ୍ୟାଙ୍କିଂ ସୁବିଧା  ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା’ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର   ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ  ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।

୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ସମସ୍ତଙ୍କ ପାଖରେ ପହଞ୍ଚି ପାରିଛୁ । ଲୋକ ଯାହା ଚାହିଁଛନ୍ତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସେହି ଅନୁଯାୟୀ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ବିକାଶର ଯାତ୍ରାରେ କେହି ବି ବାଦ ପଡି ନାହାନ୍ତି।

ସେ ପୁଣି କହିଥିଲେ ଯେ ଆମେ ସମସ୍ତେ ମିଶି ଗାଁର ବିକାଶ କରିବୁ, ଭଲ କାମ କରିବୁ, ଶୀଘ୍ର କରିବୁ ଓ ସ୍ୱଚ୍ଛତାର ସହ କରିବୁ। ସେ କହିଥିଲେ ଯେ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ଆଜି ସଫଳ ହୋଇଛି। ମା’ ମାନେ ଏହି କାର୍ଯ୍ୟକ୍ରମରେ ବିପୁଳ ଭାବରେ ଅଂଶଗ୍ରହଣ କରି ନବୀନ ଓଡିଶାର ଯାତ୍ରାରେ ଭାଗିଦାର ହୋଇଛନ୍ତି।

ପାଣ୍ଡିଆନ ପୁଣି କହିଥିଲେ ଯେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା’ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର,  ୫ ଟଙ୍କାରେ ଲକ୍ଷ୍ମୀ ବସ,  ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା’ ମାନଙ୍କ ପାଇଁ ଆଉ ୫ ଲକ୍ଷ  ଟଙ୍କା ଦିଆଯାଉଛି ବୋଲି ୫ଟି ଅଧ୍ୟକ୍ଷ  କହିଥିଲେ।

ସେ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କୋରାପୁଟ ଜିଲ୍ଲାର  ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ    ୧୦୮.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନାରାୟଣପାଟଣା ବ୍ଲକର ଝଞ୍ଜାବତି ବ୍ୟାରେଜ୍ ନିର୍ମାଣ ପାଇଁ ୯୯.୭୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ନାରାୟଣପାଟଣା ଜଗନ୍ନାଥ ମନ୍ଦିର ଏବଂ ବନ୍ଧୁଗାଁ ଶ୍ରୀ ଶ୍ରୀ ଅଗ୍ନି ଗଙ୍ଗା ମା’ ମନ୍ଦିର ପାଇଁ ଯଥାକ୍ରମେ ୪ କୋଟି ଓ ୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥି ସହିତ ନାରାୟଣପାଟଣା ପାଟଣା ଓ ବନ୍ଧୁଗାଁ ବ୍ଲକରେ ୨ଟି ନୂତନ ଡିଗ୍ରୀ କଲେଜ ସମେତ ଲକ୍ଷ୍ମୀପୁର କଲେଜର ରୂପାନ୍ତରଣ, ଦଶମନ୍ତରପୁର ଆରକେଏ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ, ନାରାୟଣପାଟଣାସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି ।

କୋଟପାଡ ନିର୍ବାଚନ ମଣ୍ଡଳୀରେ  ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ   ୪୨.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଗୁପ୍ତେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ୨୦.୨୦ କୋଟି ଟଙ୍କା ଏବଂ କୋଟପାଡ ଦମୟନ୍ତୀସାଗରର ପୁନରୁଦ୍ଧାର ପାଇଁ ୧୬.୭୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥି ସହିତ ଦେୱାନମୁଣ୍ଡା ପୁଷ୍କରିଣୀ, କୋଟପାଡ କଲେଜ ଏବଂ ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲ ଓ ଡିଗ୍ରୀ କଲେଜ ସାମିଲ ଅଛି।  ସେହିପରି ଜୟପୁର ନିର୍ବାଚନ ମଣ୍ଡଳୀରେ   ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ   ୨୬.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରାଜ୍ୟ ରାଜପଥ-୪୮ ରେ ତେଲଙ୍ଗିରି ନଦୀ ଉପରେ ସେତୁ ନିର୍ମାଣ ପାଇଁ ୮.୦୧ କୋଟି ଟଙ୍କା, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଜୟପୁର ଶ୍ରୀ ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ଓ ଭକ୍ତ ଓ ପର୍ଯ୍ୟଟକ ସୁବିଧା  ଭିତ୍ତିଭୂମି ନିର୍ମାଣ ପାଇଁ ୧.୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଦ୍ୱାରା ବାର୍ଷିକ ୧.୩୦ ଲକ୍ଷ ଲୋକ ସୁବିଧାରେ ଦର୍ଶନ କରିବେ। ଏଥି ସହିତ ଆଇନ ମହାବିଦ୍ୟାଳୟର  ୧୨୦ ଆସନ ଏସସି-ଏସଟି ହଷ୍ଟେଲ, ବିକ୍ରମଦେବ ବିଶ୍ୱବିଦ୍ୟାଳୟ, ଏଚଏସଏସ ଓ ଡିଗ୍ରୀ, ବୋରିଗୁମା ଭୈରବ ଏଚଏସ ଏହ ଓ ଡିଗ୍ରୀ କଲେଜ , ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ, ବୋରିଗୁମା ନରସିଂହ ଏଚଏସଏସ ସାମିଲ ରହିଛି    । କୋରାପୁଟ ନିର୍ବାଚନ ମଣ୍ଡଳୀରେ  ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ   ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୋରାପୁଟ ଜେଇଏଲସି ଚର୍ଚ୍ଚ ମରାମତି ଓ ପୁନରୁଦ୍ଧାର ପାଇଁ ୩ କୋଟି ଟଙ୍କା, କୋରାପୁଟ ଜଗନ୍ନାଥ ମନ୍ଦିରରେ କଲ୍ୟାଣ ମଣ୍ଡପ ଏବଂ ଭକ୍ତ ସୁବିଧା ଭିତ୍ତିଭୂମି ନିର୍ମାଣ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। କୋରାପୁଟ ସରକାରୀ ମହାବିଦ୍ୟାଳୟ ପାଇଁ ୨.୨୫ କୋଟି ଟଙ୍କା, ସୁନାବେଡା ମହିଳା ଏଚଏସଏସ ଓ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥି ସହିତ ୪ଟି କଲେଜ ଏବଂ ଗୋଟିଏ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି

ପଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ  ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ   ୩୧.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଦେଓମାଳୀ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ୨୨.୫୦ କୋଟି ଟଙ୍କା, ପଟାଙ୍ଗୀ ମା’ ଗଙ୍ଗେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୩ କୋଟି ଟଙ୍କା, ନନ୍ଦପୁରଠାରେ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ରାବାସ ପାଇଁ ୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥି ସହିତ ୨ଟି   ଏଚଏସଏସ ଓ ଡିଗ୍ରୀ ଏବଂ ଗୋଟିଏ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ସାମିଲ ଅଛି।

ଏହିପରି କୋରାପୁଟ ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧୯.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ  ସୂଚନା ଦେଇଥିଲେ।

ସେ  କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ନୂଆପଡା ଜିଲ୍ଲାର   ଖରିଆର  ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ     ୪୧୪.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବୋଦେନ, ବୋରିଗାଁ, ଖଇରମାଲ, ଲେସୁନପାଲି, ଗଣ୍ଡବାହାଲି, ଚଉନରାଠାରେ ସମୁଦାୟ ୬ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୩୮୩.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା ୩୧ଟି ଗାଁ ତଥା ୩୬ ହଜାର ଲୋକ ଉପକୃତ ହେବେ। ବୋଦେନ ବ୍ଲକର ରେଢାମାଲ ଓ ରୁଣ୍ଡି ଗାଁକୁ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୯.୩୯ କୋଟି ଟଙ୍କା, ଖରିଆର ଭୁଲିଆସିକୁଆନ ରାସ୍ତାର ପ୍ରଶସ୍ତିକରଣ ପାଇଁ ୬.୦୯ କୋଟି ଟଙ୍କା, କାମପୁରଠାରେ ସହଜନଳା ଉପରେ ସେତୁ ପାଇଁ ୩.୯୬ କୋଟି ଟଙ୍କା, ପୋର୍ତିପଡା ହାଇ ସ୍କୁଲରେ ଏସସି ଏସଟି ହଷ୍ଟେଲ ନିର୍ମାଣ ପାଇଁ ୩ କୋଟି ଟଙ୍କା, ଖରିଆର ସ୍ୱୟଂଶାସିତ କଲେଜ ଏବଂ ଧନ୍ଦାମୂଳକ ଓ ହାୟର ସେକେଣ୍ଡାରି ସ୍କୁଲ ପାଇଁ ୨.୫୦ କୋଟି ଟଙ୍କା, ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୩.୬୩ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସେହିପରି ନୂଆପଡା  ନିର୍ବାଚନ ମଣ୍ଡଳୀରେ    ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ     ୮୪.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୋନାବିରାଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ୪୨.୨୪ କେଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାର ୩ଟି ଗାଁ ଓ ୬ ହଜାର ଲୋକ ଉପକୃତ ହେବେ। ସୁନାବେଡାଠାରୁ କୋମନା ରାସ୍ତା ଉନ୍ନତିକରଣ ପାଇଁ ୨୯.୯୦ କୋଟି ଟଙ୍କା, ଯୋଗେଶ୍ୱର ମନ୍ଦିର ଉନ୍ନତିକରଣ ପାଇଁ ୩.୯୬ କୋଟି, ସୁନାଦେଇ ମନ୍ଦିର ଉନ୍ନତିକରଣ ପାଇଁ ୨.୫୯ କୋଟି ମଞ୍ଜୁର କରାଯାଇଛି। ସୁନାବେଡା ଅଞ୍ଚଳରେ ୨୨ଟି ଚେକ୍ ଡ୍ୟାମ ନିର୍ମାଣ ପାଇଁ ୧.୯୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ଦ୍ୱାରା ୨୪ଟି ଗାଁର ୮ ହଜାର ଲୋକ ଉପକୃତ ହେବେ। ଏହି ପରି ନୂଆପଡା ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ  ୪୯୮.୯୧  କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ୫ଟି ଅଧ୍ୟକ୍ଷ ପାଣ୍ଡିଆନ ସୂଚନା ଦେଇଥିଲେ। ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଯାଜପୁର ଜିଲ୍ଲାର ଯାଜପୁର ନିର୍ବାଚନ ମଣ୍ଡଳୀରେ  ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ  ୧୦୦.୬୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ମା’ ବିରଜା ମନ୍ଦିରର ଉନ୍ନତିକରଣ ପାଇଁ ୧୫ କୋଟି ଟଙ୍କା, ସାଧୁ ଗୌରେଶ୍ୱର କଲେଜ ରୂପାନ୍ତର ପାଇଁ ୧୫ କୋଟି,  ବରାହ ନଦୀ-ଦ୍ୱୀପରେ ପର୍ଯ୍ୟଟନ ବିକାଶ ପାଇଁ ୧୫ କୋଟି, ବୈତରଣି ଉପରେ ସେତୁ ପାଇଁ ୨୨.୧୮ କୋଟି, କାଟିଆ ବାଇଶିପଣ ରାସ୍ତାର ଉନ୍ନତି ପାଇଁ ୫.୩୩ କୋଟି ପାଲଦା ପଞ୍ଜରା ସାହିରୁ ତରଙ୍ଗ ବଉଦ ହାଡିଆ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ପାଇଁ ୮.୭୪ କୋଟି, ପାଲସାହି ନାଳ ଉପରେ ସେତୁ ପାଇଁ ୬.୪୪ କୋଟି ଟଙ୍କା ମଞ୍ଜୁର। ଏହା ସହିତ ସିଦ୍ଧେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର ଓ ଅନେକ ସ୍କୁଲ କଲେଜ ମଧ୍ୟ ରହିଛି। ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ  ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ     ୧୭.୮୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ନାରାୟଣ ଗୋସେଇଁ ମନ୍ଦିର, ମଧୁ ତୀର୍ଧ ପୁଷ୍କରିଣୀ, ଗୋକର୍ଣ୍ଣେଶ୍ୱର ମନ୍ଦିର, ଧର୍ମଶାଳା ଡିଗ୍ରୀ କଲେଜର ଉନ୍ନତି ଆଦି ଅନେକ ପ୍ରକଳ୍ପ ରହିଛି। ବାରବାଟି ସିଂହପୁର ରାସ୍ତା ପାଇଁ ୭.୬୬ କୋଟି, ନାକାପୋଲର ମାଣ୍ଡିଆ ପର୍ଯ୍ୟନ୍ତ ରାସ୍ତା ପାଇଁ ୪ କୋଟି ରହିଛି।

ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ     ୨୩.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଟିକରପଡା ରାସ୍ତା ପାଇଁ ୭ କୋଟି, ସରୁବାଲିଠାରୁ ଗୁର୍ଜନପାଲ ପର୍ଯ୍ୟନ୍ତ ରାସ୍ତା ପାଇଁ ୭ କୋଟି, କାଳିଆପାଣି ହନୁମାନ ଛକ ରୋଡ ପାଇଁ ୫.୫୭ କୋଟି ଟଙ୍କା । ଏହା ସହିତ ଜଗନ୍ନାଥ ମନ୍ଦିର, ସୁକିନ୍ଦା ଡିଗ୍ରୀ କଲେଜ, ଭାରତୀବିହାର ଡିଗ୍ରୀ କଲେଜ, ଯୁକ୍ତ ଦୁଇ କଲେଜ ଓ ଅନେକ ରାସ୍ତା ପ୍ରକଳ୍ପ ରହିଛି। ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ  ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬୮.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ବରୁଣେଶ୍ୱର ମନ୍ଦିର ପାଇ ୭ କୋଟି, ମଲ୍ଲିକା ବଳଭଦ୍ରପୁର ରାସ୍ତା ପାଇଁ ୧୮.୮୦ କୋଟି, ଲାଲବାଗ ନୂଆପାଟଣାରୁ ଦତପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୮ କୋଟି, ପ୍ରିତିପୁରରୁ ସିଂହପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୪.୬୬ କୋଟି, ଚଷାଖଣ୍ଡରୁ ପଲଟପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୭.୮୪ କୋଟି ଏବଁ ଅନେକ ରାସ୍ତା ପ୍ରକଳ୍ପ। ଏହା ସହିତ ଦଶରଥପୁର ଜୟଚଣ୍ଡୀ ପୀଠ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବରି ନିର୍ବାଚନ ମଣ୍ଡଳୀରେ  ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ     ୮୭.୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚିଙ୍ଗୁଡିଆ ନାଳ ଉପରେ ସେତୁ ପାଇଁ ୫୬ କୋଟି, ବ୍ରାହ୍ମଣୀ ନଦୀ ଉପରେ ଏକ ସେତୁ ପାଇଁ ୧୮.୭୭ କୋଟି, ପରମାନନ୍ଦପୁରଠାରୁ ମେଣ୍ଢାକୁସବଟା ରାସ୍ତା ପାଇଁ ୭.୪୧ କୋଟି, ରସୁଲପୁର ମା’ ଖଗେଶ୍ୱରୀ ପୀଠ ପାଇଁ ୧.୫୦ କୋଟି ଟଙ୍କା ଓ ଅନେକ ସ୍କୁଲ କଲେଜ ରହିଛି।

କୋରେଇ ନିର୍ବାଚନ ମଣ୍ଡଳୀରେ  ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ     ୩୮.୭୩କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ବ୍ୟାସନଗର ଜଗନ୍ନାଥ ମନ୍ଦିର ପାଇଁ ୧.୫୦ କୋଟି, ବ୍ୟାସନଗର କଲେଜରେ ନୂଆ ବିଜ୍ଞାନ ଓ କଳା ବ୍ଲକ ପାଇଁ ୧୫ କୋଟି ଓ ଅନେକ ସ୍କୁଲ କଲେଜ। କୋରେଇରେ ଏକ ନୂଆ କବାଡି ଇନଡୋର ହଲ୍‌ ପାଇଁ ଅନୁମୋଦନ ଦିଆଯାଇଛି। ବଡଚଣା ନିର୍ବାଚନ ମଣ୍ଡଳୀରେ  ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ     ୨୪.୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚଣ୍ଡିଖୋଲ ମହାବିନାୟକ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ୭.୬୯ କୋଟି, ଛତିଆ ପର୍ଯ୍ୟଟନ କମ୍ପ୍ଲେକ୍ସ ପାଇଁ ୧ କୋଟି ,  ସାନଗେଙ୍ଗୁଟି ନଈ ଉପରେ ସେତୁ ପାଇଁ ୯.୯୨ କୋଟି ଟଙ୍କା ମଧ୍ୟ ମଞ୍ଜୁର ହୋଇଛି।

ଏହିପରି ଯାଜପୁର ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ   ୭୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୬୧.୫୩ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ନବୀନ ଓଡ଼ିଶା ଅଧ୍ୟକ୍ଷ ସୂଚନା ଦେଇଥିଲେ।

୩ଟି ଜିଲ୍ଲାରେ ସମୁଦାୟ ୧୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭୯.୯୮  କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ୫ଟି ଅଧ୍ୟକ୍ଷପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଚସ୍ପତି ପ୍ରମିଳା ମଲ୍ଲିକ, ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ, ମନ୍ତ୍ରୀ  ପ୍ରିତିରଞ୍ଜନ ଘଡାଇ, ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଧାୟିକା  ସୁନନ୍ଦା ଦାସ, ବିଧାୟକ ଅଶୋକ କୁମାର ବଳ, ବିଧାୟକ ପ୍ରଭୁ ଜାନି, ବିଧାୟିକା ପଦ୍ମିନୀ ଦିଆନ, ବିଧାୟକ  ପିତମ ପାଢି, ବିଧାୟକ ରଘୁରାମ ପଡାଲ ଓ  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।

ବିଞ୍ଝାରପୁରଠାରେ ଉପସ୍ଥିତ ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ଭଳି ସବୁ ପଦକ୍ଷେପ ନିଆଯାଉଛି ତାହା ପ୍ରଶଂସନୀୟ।  ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ବଳରେ ଓଡିଶା ଆଗକୁ ଯିବ ଓ ନୂତନ ରୂପ ପାଇବ।

କୋମନାଠାରେ ଉପସ୍ଥିତ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଥିଲେ ଯେ ଗ୍ରାମାଞ୍ଚଳରେ ବିକାଶ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରି ମୁଖ୍ୟମନ୍ତ୍ରୀ ଆଜି ସାରା ଭାରତ ବର୍ଷରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଜୁ ଏକ୍ସପ୍ରେସ୍ ୱେ ଆଜି ନୂଆପଡାବାସୀଙ୍କ ଲାଇଫଲାଇନ୍ ପାଲଟିଛି।

ସୁକିନ୍ଦାଠାରେ ଉପସ୍ଥିତ ମନ୍ତ୍ରୀ  ପ୍ରୀତିରଞ୍ଜନ ଘଡାଇ କହିଲେ ଯେ ୭ ଦିନ ମଧ୍ୟରେ ପ୍ରକଳ୍ପ ମଞ୍ଜୁରି କରିବା ଏକ ଐତିହାସିକ ଘଟଣା । ପ୍ରଶାସନରେ ୫ଟି ପ୍ରୟୋଗ ଆଜି ରାଜ୍ୟରେ ଭରସାର ପ୍ରତୀକ ହୋଇଛି ।

ଯାଜପୁରଠାରେ ଉପସ୍ଥିତ ବିଧାୟକ ପ୍ରଣବ ପ୍ରକାଶ ଦାସ କହିଲେ ଯେ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବାରେ ୫-ଟି ଅଧ୍ୟକ୍ଷଙ୍କ ପ୍ରତିବଦ୍ଧତାର ତୁଳନା ନାହିଁ ।

ପଟାଙ୍ଗୀଠାରେ ଉପସ୍ଥିତ ବିଧାୟକ ପିତମ ପାଢି କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା ଭଳି ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ସାରା ଭାରତବର୍ଷରେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କରି ନାହାନ୍ତି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏହା କରି ଦେଖାଇ ଦେଇଛନ୍ତି। ସେଥିପାଇଁ ସାଢେ ଚାରି କୋଟି ଓଡିଶାବାସୀ ଗୌରବାନ୍ୱିତ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ ଓ ସ୍ଥାନୀୟ ନେତୃବୃନ୍ଦ କହିଲେ ଯେ ଆଜି ବିକାଶ ଜନସାଧାରଣଙ୍କ ପାଖରେ ପହଞ୍ଚୁଛି। ସମଗ୍ର ଭାରତବର୍ଷରେ ଓଡିଶାର ବିକାଶ ଆଜି ଚର୍ଚ୍ଚାର ବିଷୟ । ୭ ଦିନ ମଧ୍ୟରେ  ସମସ୍ୟା ସମାଧାନ ବାସ୍ତବରେ ଅଭୂତପୂର୍ବ ଓ ଆଶ୍ଚର୍ଯ୍ୟଜନକ। ଆମ ସମସ୍ତଙ୍କ ପାଇଁ ଆଣିଛି ଅପାର ଆନନ୍ଦ।

କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.