ଯୋଧପୁର ହିଂସା: ୯୭ ଗିରଫ, କର୍ଫ୍ୟୁ ବଳବତ୍ତର

ଯୋଧପୁର: ରାଜସ୍ଥାନର ଯୋଧପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସା ମାମଲାରେ ଏପର୍ଯ୍ୟନ୍ତ ୯୭ ଜଣଙ୍କୁ ଗିରଫ କରାଯାଇଛି। ଏଠାରେ ୧୦ଟି ପୋଲିସ୍ ଥାନା ଅନ୍ତର୍ଗତ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି।

ପୋଲିସର ସୂଚନାନୁସାରେ, ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ହିଂସାର କୌଣସି ଖବର ନାହିଁ। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରାୟ ଯୋଧପୁର ରେ ପ୍ରାୟ ଏକ ହଜାର ପୋଲିସ କର୍ମୀ ମୁତୟନ ହୋଇଛନ୍ତି।

ଯୋଧପୁରର ଜାଲୋରୀ ଗେଟ୍ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ପରେ ପ୍ରଶାସନ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛି।

ସୋମବାର ରାତିରେ ସେତେବେଳେ ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ଗୋଟିଏ ସମ୍ପ୍ରଦାୟ ପର୍ଶୁରାମ ଜୟନ୍ତୀ ନେଇ ପତାକା ଲଗାଇଥିଲେ ଏବଂ ଅନ୍ୟ ସମ୍ପ୍ରଦାୟର ଲୋକେ ସେହି ପତାକା ହଟାଇ ସେଠାରେ ନିଜର ପତାକା ଏବଂ ଲାଉଡ ସ୍ପିକର ଲଗାଇଥିଲେ ।

ଏହା ପରେ ମଙ୍ଗଳବାର ଇଦ୍ ନମାଜ୍ ପରେ ପୁଣି ଥରେ ପତାକାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲା ।

ଯୋଧପୁର ଡେପୁଟି କମିଶନର କହିଛନ୍ତି ଯେ କର୍ଫ୍ୟୁ ଲାଗୁ କରିବା ସହିତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଶାନ୍ତି ଏବଂ ସଦଭାବ ରକ୍ଷା କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଲୋକଙ୍କୁ ନିବେଦନ କରିଛନ୍ତି। ଏହା ସହିତ ଦୁଇ ମନ୍ତ୍ରୀ ଓ ଅଧିକାରୀଙ୍କୁ ମଧ୍ୟ ଯୋଧପୁରକୁ ପଠାଯାଇଛି |

Comments are closed.