ରାଜ୍ୟରେ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ, ଚିନ୍ତାରେ ଚାଷୀ

ଭୁବନେଶ୍ବର – ଚଳିତ ମାସ ଆରମ୍ଭରୁ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଲଗାଣ ବର୍ଷା ହୋଇଥିଲା । ମଧ୍ଯମ ଧରଣର ବନ୍ୟା ବି ଆସିଥିଲା । ପ୍ରଭାବିତ ଜିଲାଗୁଡ଼ିକ ମଧ୍ୟରୁ କିଛି ଅଞ୍ଚଳରେ ପାଣି ମାଡ଼ିବା ଦ୍ବାରା ଧାନ ଚାଷ ପ୍ରଭାବିତ ହୋଇଥିଲା। ଅନ୍ୟାନ୍ୟ ଜିଲାରେ ଚାଷୀ ତଳି ରୁଆ ବେଉଷଣ କରିଥିଲେ। ବର୍ଷାକୁ ନେଇ ଚାଷୀ ବେଶ୍‌ ଉତ୍ସାହିତ ହୋଇଥିଲେ। ଚାଷ କାମ ଆଗେଇବ ବୋଲି ଆଶା ରଖିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆଉ ଭଲ ବର୍ଷା ହୋଇନଥିବାରୁ ରୁଆ ତଳି ଟାଣ ଖରାରେ ଝାଉଁଳି ଗଲାଣି। ପାଣି ନ ଥିବାରୁ ମାଟି ଶୁଖି ଗଲାଣି। ଫଳରେ ରୁଆ ବେଉଷଣ ହୋଇପାରୁନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସହିତ ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ବୌଦ୍ଧର କିଛି ଅଞ୍ଚଳରେ ବିଜୁଳି ଘଡଘଡ଼ି ସହ ବର୍ଷା ହୋଇପାରେ। ୧୫ରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି।

ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଜୁନ ୧ରୁ ଅଗଷ୍ଟ ୧୨ ମଧ୍ୟରେ ରାଜ୍ୟର ସ୍ବାଭାବିକ ବର୍ଷା ୬୯୮.୪ମି.ମି ତୁଳନାରେ ୬୩୫.୮ମି.ମି ବର୍ଷା ରେକର୍ଡ ହୋଇଛି । ଏହା ସ୍ୱାଭାବିକଠାରୁ ୬ ପ୍ରତିଶତ କମ୍‌ । ଏହି ସମୟ ମଧ୍ୟରେ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ସ୍ବାଭାବିକରୁ ଅଧିକ ଏବଂ ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଯାଜପୁରରେ ନିଅଣ୍ଟିଆ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରିନାହିଁ

Comments are closed.