ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ ପାଇଁ ବେସରକାରୀ ଶିକ୍ଷାନୁଷ୍ଠାନ, ଅଫିସ ଓ ବ୍ୟବସାୟ ପ୍ରତିଷ୍ଠାନକୁ ସିଏସଙ୍କ ଅପିଲ୍ 

ଭୁବନେଶ୍ୱର – ଜାନୁଆରୀ ୧୭ ତାରିଖ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବ । ଭକ୍ତି ଓ ଉଲ୍ଲାସର ସହ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟ ସରକାରଙ୍କ ପରିଚାଳନାଧିନ ସମସ୍ତ ସରକାରୀ ଅଫିସ, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ନିମନ୍ତେ ଛୁଟି ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରୁ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ଅନୁରୋଧ ପ୍ରାପ୍ତ ହୋଇଛି। ଏ ସଂପର୍କରେ ମୁଖ୍ୟ ଶାସନ ସଚିବପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ସିଧାପ୍ରସାରଣ ହେବ। ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିଜ ନିଜ ସ୍ତରରେ ଜାନୁଆରୀ ୧୭ ତାରିଖ ଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ନିଜ ନିଜ ଅନୁଷ୍ଠାନରେ ଏହି ସିଧାପ୍ରସାରଣ ପ୍ରଦର୍ଶନର ସୁବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ଅନୁଷ୍ଠାନଗୁଡିକରେ କାର୍ଯ୍ୟରତ କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ସହ ଏଥିରେ ନିଜକୁ ସାମିଲ କରିପାରିବେ।

Comments are closed.