ଲୋକାର୍ପଣ ଉତ୍ସବ ଦେଖୁଛନ୍ତି ବ୍ରହ୍ମପୁରବାସୀ

ବ୍ରହ୍ମପୁର: ମହାନଗରର ୯ଟି ପ୍ରମୁଖ ତଥା ଛକ ସ୍ଥାନମାନଙ୍କରେ ଲାଗିଛି ବଡ଼ ବଡ଼ ଏଲଇଡି ସ୍କ୍ରିନ୍। ସେଥିରେ ସିଧାସଳଖ ପ୍ରସାରିତ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମର ଦୃଶ୍ୟ। ଯେଉଁ ଜଗନ୍ନାଥପ୍ରେମୀମାନେ ପୁରୀ ଯାଇପାରି ନାହାନ୍ତି ସେମାନେ ନିଜ ଘର ନିକଟରେ ରହି ବଡ଼ ପରଦାରେ ଏହି ଭବ୍ୟ ଆଧ୍ୟାତ୍ମିକ ଘଟଣାକୁ ଦେଖିପାରୁଛନ୍ତି।

ପ୍ରକଳ୍ପର ବିଶେଷତ୍ତ୍ବ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବା ସକାଶେ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମରେ ସବୁଠୁ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମଧ୍ୟାହ୍ନରେ ସହର ଓ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିମାନେ ଏଠାରେ ଉପସ୍ଥିତ ରହିବେ। ଜନସାଧାରଣଙ୍କ ସହ ମିଶି ଏହି ଭବ୍ୟ ଦୃଶ୍ୟ ଦେଖିବା ସହ ପ୍ରସାଦ ସେବନ ମଧ୍ୟ କରିବେ। ସେହିପରି ରାମଲିଙ୍ଗେଶ୍ବର ପାର୍କ, ଷ୍ଟେସନ୍ ରୋଡ୍- ନେହରୁ ପାର୍କ ଛକ, ଗୋସାଇଁନୂଆଗାଁ ଥାନା ଛକ, ଆମ୍ବ ମାର୍କେଟ୍, ହରିଡ଼ାଖଣ୍ଡି ଛକ, ସ୍ପୋର୍ଟସ୍ ଏରେନା, ଆଙ୍କୁଲି ଶିଳ୍ପାଞ୍ଚଳ ଛକ, ଇଞ୍ଜିନିୟରିଂ ସ୍କୁଲ ଛକରେ ମଧ୍ୟ ଏଲଇଡି ଟିଭି ପରଦାରେ ମଧ୍ୟ ଏହି ସୁନ୍ଦର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଉଛି।ପୂର୍ବାହ୍ନ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି‌ ସିଧା ପ୍ରସାରଣ କରାଯାଉଛି। ବ୍ରହ୍ମପୁର ମହାନଗର ନିଗମର କର୍ମଚାରୀ ଉପସ୍ଥିତ ରହି ଏହାକୁ ସଂଯୋଜନା କରୁଛନ୍ତି। ଜଗତର ନାଥଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଭାବର ପରିପ୍ରକାଶରେ ଏହା ବେଶ୍‌ ସହାୟକ ହୋଇପାରୁଛି।

ଅପରପକ୍ଷରେ ମହାନଗରର ସମସ୍ତ ୪୦ଟି ଓ୍ବାର୍ଡରୁ ଶ୍ରଦ୍ଧାଳୁଙ୍କୁ ପୁରୀ ନିଆଯାଇ ପରିକ୍ରମା ପ୍ରକଳ୍ପର ଅଦ୍ୱିତୀୟ ଅନୁଭବର ପ୍ରତ୍ୟକ୍ଷଦର୍ଶୀ ହେବା ବ୍ୟବସ୍ଥା ମଧ୍ୟ ହୋଇଛି। ୧୯ଟି ବସରେ ମୋଟ ୮୪୦ ଭକ୍ତ ୩୧ ଜାନୁଆରୀରେ ଶ୍ରୀମନ୍ଦିର ଦର୍ଶନ ସକାଶେ ବାହାରିବେ। ଜିଲ୍ଲାର ଗୋଟିଏ ଲେଖାଏଁ ମହାନଗର ଓ ପୌରପାଳିକା ସମେତ ୧୬ଟି ଏନ୍ଏସିରୁ ଭକ୍ତ ଆସନ୍ତା ୩୧ ତାରିଖରେ ପୁରୀ ଯିବେ।‌ ଏସବୁ ସହରର ମୋଟ ୨୮୨ ଓ୍ବାର୍ଡରୁ ୨୦ ଜଣ ଲେଖାଏଁ ୧୨୫ଟି ବସରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ ବୁଲି ଦେଖିବେ। ସେପଟେ ୧୦୦୬୦ ଜଣ ଗ୍ରାମାଞ୍ଚଳ (ବ୍ଲକ୍ ଓ ପଞ୍ଚାୟତର) ଭକ୍ତ ଆସନ୍ତା ୨୨ ଓ ୨୪ ତାରିଖରେ ୧୧୨ଟି ବସ୍ ଯୋଗେ ପୁରୀ ଯାତ୍ରା କରିବେ।

Comments are closed.