ବିଲକିସ୍ ବାନୋ ମାମଲା: ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ୨୧ ସୁଦ୍ଧା ସରେଣ୍ଡର କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:ବିଲକିସ୍ ବାନୋ ଗଣବଳାତ୍କାର ମାମଲାର ୧୧ ଜଣ ଦୋଷୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ସମସ୍ତ ଦୋଷୀଙ୍କୁ ଜାନୁଆରୀ ୨୧ ସୁଦ୍ଧା ସରେଣ୍ଡର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ୧୧ ଦୋଷୀ ସରେଣ୍ଡର ପାଇଁ ଅଧିକ ସମୟ ମାଗିଥିଲେ । ଏଥିପାଇଁ ସେମାନେ ଦର୍ଶାଇଥିବା କାରଣରେ କୌଣସି ଯଥାର୍ଥତା ନାହିଁ ବୋଲି ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍ ଉଜ୍ଜ୍ବଳ ଭୁୟାଁଙ୍କୁ ଖଣ୍ଡପୀଠ କହିଛନ୍ତି । ଏଥିସହ ଖଣ୍ଡପୀଠ ଦୋଷୀଙ୍କ ଆବେଦନ ଖାରଜ କରି ସରେଣ୍ଡର କରିବାକୁ କହିଛନ୍ତି ।

ବିଲକିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ ଜେଲରୁ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଜାନୁଆରୀ ୮ରେ ରଦ୍ଦ କରିଥିଲେ । ସମସ୍ତ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଗୁଜରାଟରେ ୨୦୦୨ରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସମୟରେ ବିଲକିସ୍ ବାନୋଙ୍କୁ ଗଣବଳାତ୍କାର କରାଯାଇଥିଲା । ସେତେବେଳେ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ । ଏପରିକି ଦଙ୍ଗାକାରୀମାନେ ବିଲକିସ୍ ବାନୋଙ୍କ ତିନି ବର୍ଷର ଝିଅ ସହ ୭ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା ।

Comments are closed.