ଆଜି ପିପିଲି ଫଳ : ସକାଳ ୮ରୁ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

ପିପିିିଲି – ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ପାଇଁ ଗୁରୁତ୍ୱ ବହନ କରିଥିବା ପିପିଲି ବିଧାନସଭା ଉପନିର୍ବାଚନର ଆଜି ଭୋଟ୍ ଗଣତି ହେଉଛି । ସେପଟେମ୍ବର ୩୦ରେ ପିପିଲି ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ମଧ୍ୟାହ୍ନ ସୁଦ୍ଧା ଭୋଟର କାହାକୁ ନିର୍ବାଚିତ କରିଛନ୍ତି, ତାହା ସ୍ପଷ୍ଟ ହୋଇଯିବା ଆଶା କରାଯାଉଛି । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଏହାପରେ ଇଭିଏମରେ ପଡିଥିବା ଭୋଟ୍ ଗଣତି ହେବ । ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲ୍‌ରେ ପୋଷ୍ଟାଲ ବାଲାଟ ଗଣତି ହେବ । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ଟେବୁଲ ନିକଟରେ ରାଜନୈତିକ ଦଳଗୁଡିକ ସେମାନଙ୍କ ଏଜେଣ୍ଟ ରଖିପାରିବେ ।

ଏଥର ପିପିଲିରେ ମତଦାନ ହାର ଥିଲା ୭୮ ଦଶମିକ ୨୫ ପ୍ରତିଶତ । ୧୯୯୫ରେ ପିପିଲିରେ ସର୍ବାଧିକ ୮୨ ଦଶମିକ ୩ ପ୍ରତିଶତ ମତଦାନ ହୋଇଥିଲା । ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲିରେ ଉପନିର୍ବାଚନ ହୋଇଛି । ଏଥର ମୋଟ ୧୦ ଜଣ ପ୍ରାର୍ଥୀ ମଇଦାନରେ ଥିଲେ ମଧ୍ୟ ମୁଖ୍ୟ ମୁକାବିଲା ବିଜେଡି,ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି । ବିଜେଡି ମହାରଥୀଙ୍କ ପୁଅ ରୁଦ୍ରପ୍ରତାପଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ୨୦୧୯ର ପରାଜିତ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ଥରେ ଛିଡା କରିଛି । କଂଗ୍ରେସ ନୂଆ ମୁହଁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ।

୨୦୧୯ ବିଧାନସଭା ନିର୍ବାଚନରେ ପ୍ରଦୀପ ମହାରଥୀ ୮୮ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଦ୍ୱିତୀୟ ସ୍ଥାନରେ ଥିଲେ । କଂଗ୍ରେସ ତୃତୀୟ ସ୍ଥାନରେ ଥିଲା ।

Comments are closed.