ସାଧାରଣତନ୍ତ୍ର ଦିବସ କେବେ ଓ କାହିଁକି ଆରମ୍ଭ ହୋଇଥିଲା?

୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ ।

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।
ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।

ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

ଇତିହାସ କୁହେ ସଭାପତି ରାଜେନ୍ଦ୍ର ପ୍ରସାଦ (ଘୋଡ଼ାଗାଡ଼ିରେ) ନୂଆଦିଲ୍ଲୀ ରାଜପଥରେ ପ୍ରଥମ ସାଧାରଣତନ୍ତ୍ର ଦିବସରେ (୧୯୫୦) ଭାଗ ନେବାକୁ ଯାଇଥିଲେ । ଇଂରେଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସହଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡର ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭ (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ ବ୍ରିଟିସ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତ ଓ ପାକିସ୍ଥାନରେ ବିଭକ୍ତ ହୋଇ କମନୱେଲ୍ଥ ନେସନରେ ସଂଯୁକ୍ତ ହେଲା । ୧୫ ଅଗସ୍ଟ ୧୯୪୭ ଦିନଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହାଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ । ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ବ୍ଲି ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରୀ ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜାନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ଆଜି ପାଳନ କରୁଛୁ ।

Comments are closed.