୫-ଟି ଅଧ୍ୟକ୍ଷଙ୍କ ଗଜପତି ଓ ଢେଙ୍କାନାଳ ଜିଲ୍ଲା ଗସ୍ତ : ଜିରାଙ୍ଗରେ ପଦ୍ମସମ୍ଭବ ମଠର ଅଭିଷେକ ଉତ୍ସବରେ ଯୋଗଦାନ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଗଜପତି ଓ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ସାଧାରଣ ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।

ଗଜପତି ଜିଲ୍ଲା ଗସ୍ତ କରି ୫-ଟି ଅଧ୍ୟକ୍ଷ ଜିରାଙ୍ଗରେ ପଦ୍ମସମ୍ଭବ ମଠର ଅଭିଷେକ ଉତ୍ସବରେ ଯୋଗ ଦେଇଥିଲେ। ପରେ ୨ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ଚାଲିଥିବା ମଠର ଉନ୍ନତିକରଣ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବା ସହ ମଠ ପୁରୋହିତ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ। ଗତବର୍ଷ ମେ’ ମାସରେ ପାଣ୍ଡିଆନଙ୍କ ଗସ୍ତ ପରେ ଏହି ପ୍ରକଳ୍ପ ମଞ୍ଜୁର କରାଯାଇଥିଲା । ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ୫-ଟି ଅଧ୍ୟକ୍ଷ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ ନିଶ୍ଚିତ କରିବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପରେ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ନୂଆ -ଓ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ୫-ଟି ଅଧ୍ୟକ୍ଷ । ସେଠାରେ ସେ ଜିଲ୍ଲାର ସମସ୍ତ କଲେଜର ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । କଠୋର ଅଧ୍ୟବସାୟ ଓ ଆତ୍ମ ବିଶ୍ୱାସର କାମ କଲେ ଜୀବନରେ ସଫଳତା ମିଳିବ ବୋଲି ୫-ଟି ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଏ କ୍ଷେତ୍ରରେ ଜିଲ୍ଲାର ପ୍ରମୁଖ ବ୍ୟକ୍ତି ବିଶେଷ ଯଥା ଆଇଏଏସ ଅଫିସର ତଥା ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଆଇଜିପି ଅନୁପ କୁମାର ସାହୁ, ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ସ୍ୱର୍ଗତ ଗତିକୃଷ୍ଣ ମିଶ୍ର, ବିଶିଷ୍ଟ ଲେଖକ ଓ ଗବେଷକ ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଓ ପର୍ବତାରୋହୀ ସ୍ୱର୍ଗତା କଳ୍ପନା ଦାସଙ୍କ ଉଦାହରଣ ଦେଇଥିଲେ ୫-ଟି ଅଧ୍ୟକ୍ଷ ।

ଜିଲ୍ଲାର ୫୬ଟି ସରକାରୀ ଓ ଅନୁଦାନପ୍ରାପ୍ତ ସରକାରୀ କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଆଗେଇ ଚାଲିଛି। ଏଥିପାଇଁ ୩୪ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଫେବ୍ରୁଆରୀ ସୁଦ୍ଧା ରୂପାନ୍ତରଣ କାର୍ଯ୍ୟ ଶେଷ କରିବାକୁ ୫-ଟି ଅଧ୍ୟକ୍ଷ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଢେଙ୍କାନାଳ ଜିଲ୍ଲାର କିଛି ପ୍ରମୁଖ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ । ଗତବର୍ଷ ଜୁଲାଇରେ ଜିଲ୍ଲା ଗସ୍ତ ବେଳେ ମିଳିଥିବା ଦାବିପତ୍ର ଆଧାରରେ କିଛି ପ୍ରକଳ୍ପ ହାତକୁ ନିଆଯାଇଛି।

Comments are closed.