ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନୈତିକ ଉପାୟ ରୋକିବାକୁ ବିଲ୍ ଆଣିଲେ ସରକାର

ନୂଆଦିଲ୍ଲୀ: ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଭଳି ଅନୈତିକ ଉପାୟ ରୋକିବାକୁ ସରକାର ସୋମବାର ଲୋକସଭାରେ ‘ପବ୍ଲିକ୍ ଏଗଜାମିନେସନ (ପ୍ରିଭେନସନ୍ ଅଫ୍ ଅନଫେୟାର ମିନସ୍) ବିଲ୍, ୨୦୨୪’ ଆଗତ କରିଛନ୍ତି।

ପରୀକ୍ଷାରେ ଅନିୟମିତତା ସହ ଜଡିତ ଅପରାଧ ପାଇଁ ଏହି ବିଲରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ କୋଟି ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ରହିଛି। ନିକଟରେ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ମଞ୍ଜୁରୀ ପ୍ରଦାନ କରିଥିଲା। କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି ଏହି ବିଲକୁ ଗୃହରେ ଉପସ୍ଥାପନ କରିଛନ୍ତି।

ସୂଚନା ଅନୁଯାୟୀ, ପରୀକ୍ଷାରେ ଅନିୟମିତତା ପାଇଁ ପ୍ରସ୍ତାବିତ ବିଲ୍ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରିବ ନାହିଁ । କିନ୍ତୁ ସଂଗଠିତ ଅପରାଧ, ମାଫିଆ ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି। ଏକ ଉଚ୍ଚ ସ୍ତରୀୟ ବୈଷୟିକ କମିଟି ଗଠନ କରିବାକୁ ଏହି ବିଲରେ ପ୍ରସ୍ତାବ ଦିଆଯାଇଛି, ଯାହା କମ୍ପ୍ୟୁଟର ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିବାକୁ ସୁପାରିଶ କରିବ।

ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଡମିସନ ପାଇଁ ପ୍ରବେଶିକା ପରୀକ୍ଷା ସହ ସରକାରଙ୍କ ଅଧୀନ ସବୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଏହି ବିଲ୍ ପରିସରଭୁକ୍ତ ହେବ | ଜାନୁଆରୀ ୩୧ରେ ବଜେଟ୍ ଅଧିବେଶନ ଆରମ୍ଭରେ ଉଭୟ ସଂସଦର ମିଳିତ ବୈଠକକୁ ସମ୍ବୋଧିନ କଲାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ପରୀକ୍ଷାରେ ଅନିୟମିତତା ନେଇ ଯୁବପୀଢ଼ିଙ୍କ ଚିନ୍ତା ସମ୍ପର୍କରେ ସରକାର ଅବଗତ ଅଛନ୍ତି। ସେ କହିଥିଲେ ଏ ଦିଗରେ କଡ଼ା ଆଭିମୁଖ୍ୟ ସହ ଏକ ନୂଆ ଆଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Comments are closed.