ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଦର୍ଶନୀ ବୁଲିଲେ ୫-ଟି ଓ ନବୀନ ଅଧ୍ୟକ୍ଷ,ମେଟାଭର୍ସରେ ସମ୍ପୂର୍ଣ୍ଣ ପ୍ରଦର୍ଶନୀର ଚିତ୍ର ଉପସ୍ଥାପନକୁ ପ୍ରଶଂସା

ଭୁବନେଶ୍ୱର – ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଥିବା ଜନତା ମଇଦାନଠାରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଗୋଟିଏ ଛାତ ତଳେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ଐତିହ୍ୟକୁ ନେଇ ପ୍ରଦର୍ଶିତ ବିଭିନ୍ନ ବିଷୟକୁ ଦେଖି ସେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ସେ ପ୍ରଦର୍ଶନୀ ଦେଖି ଆସିଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏଭଳି ପ୍ରଦର୍ଶନୀ କିପରି ସେମାନଙ୍କ ମନକୁ ଛୁଉଁଛି ସେ ବିଷୟରେ ପିଲାଙ୍କୁ ପଚାରି ବୁଝିଥିଲେ । ପ୍ରଦର୍ଶନୀ ପରିସରରେ ଥିବା ଭ୍ରାମ୍ୟମାଣ ପାଠଗାରକୁ ସେ ଦେଖିବା ସହ ଏହା ଛାତ୍ରଛାତ୍ରୀ ଓ ଯୁବପିଢିକୁ ପ୍ରେରଣା ଦେବ ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରଦର୍ଶନୀର ଆଧୁନିକ ବିଭାଗରେ ଥିବା ‘ଡୋମ୍ ଅଫ୍ ଦ ଫ୍ୟୁଚର’ କକ୍ଷକୁ ଯାଇଥିଲେ ୫-ଟି ଅଧ୍ୟକ୍ଷ। ସେଠାରେ ପ୍ରଦର୍ଶିତ ଅତ୍ୟାଧୁନିକ ରୋବଟ୍, ଆଧୁନିକ ଓଡ଼ିଆ କି-ବୋର୍ଡ ଓ ଫଣ୍ଟ, ଓଡ଼ିଆ ୱିକିପିଡିଆ, ମୁଁ ଓଡ଼ିଆ ଇ-ଲର୍ଣ୍ଣିଂ ଆପ୍ ଆଦି ଦେଖିଥିଲେ।
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଓ ଐତିହ୍ୟକୁ ନେଇ କରାଯାଇଥିବା ବିଶାଳ ପ୍ରର୍ଦଶନୀକୁ ଅତ୍ୟାଧୁନିକ ମେଟାଭର୍ସରେ ଉପସ୍ଥାପନ କରାଯାଇଛି। ପ୍ରଦର୍ଶନୀ ବୁଲିବା ଅବସରରେ ୫-ଟି ଅଧ୍ୟକ୍ଷ ମେଟାଭର୍ସରେ ଥିବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦେଖିଥିଲେ। ଅତ୍ୟାଧୁନିକ ଭିଆର୍ ଯୋଗେ ସେ ବିଶ୍ଵପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍ ଦ୍ୱାରା କରାଯାଇଥିବା ଏହି ଉଦ୍ୟମକୁ ସେ ଭୂୟସୀ ପ୍ରଂଶସା କରିଥିଲେ।

ଏହି ଅତ୍ୟାଧୁନିକ ମେଟାଭର୍ସ ମାଧ୍ୟମରେ ଦେଶ ବିଦେଶରେ ଥିବା ଲୋକେ ଭାଷା ସମ୍ମିଳନୀର ୱେବସାଇଟ୍ ଜରିଆରେ ପ୍ରଦର୍ଶନୀର କୋଣ ଅନୁକୋଣର ଚିତ୍ର ଅନଲାଇନରେ ଦେଖିପାରୁଛନ୍ତି। ଓଡ଼ିଶାର ପ୍ରମୁଖ ଐତିହ୍ୟସ୍ଥଳର ଥ୍ରି-ଡି ଭିଡିଓ ଓ ଏହାସହିତ ଯୋଡା ଯାଇଥିବାରୁ ଲୋକମାନେ ଦୂରରେ ଥାଇ ମଧ୍ୟ ଅନଲାଇନ୍ ମାଧ୍ୟମରେ ଏହି ସମ୍ମିଳନୀ ଏବଂ ଓଡ଼ିଶାର କଳା ଓ ଐତିହ୍ୟ ସହିତ ନିଜକୁ ଯୋଡ଼ି ପାରୁଛନ୍ତି।

ସୂଚନା ଅନୁଯାୟୀ ପ୍ରଥମ ୫ ଦିନ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଦେଶବିଦେଶରେ ଥାଇ ମେଟାଭର୍ସ ମାଧ୍ୟମରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମରେ ଅନଲାଇନରେ ସାମିଲ ହୋଇପାରିଛନ୍ତି ।

Comments are closed.