ଲକ୍ଷ୍ମୀପୁର ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ ଚୁପ୍ କାହିଁକି: ରାହୁଲ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି ଯେ ପ୍ରଥମେ ଜମି ଅଧିଗ୍ରହଣ ପାଇଁ କୃଷକମାନଙ୍କ ଉପରେ ଆକ୍ରମଣ ହୋଇଥିଲା, ଏବେ କୃଷି ଆଇନ ନେଇ ଦେଶର ଚାଷୀଙ୍କ ଉପରେ ଦ୍ୱିତୀୟ ଆକ୍ରମଣ ହୋଇଛି। ବିରୋଧୀ ଚାଷୀଙ୍କୁ ଜିପ୍ ତଳେ ଚାପି ଦିଆଯାଉଛି । ଅଥଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍ ରହିଛନ୍ତି। ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଏବଂ ତାଙ୍କ ପୁଅଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କୁ ଗିରଫ କରାଯିବା ପରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦଳର କିଛି କର୍ମୀଙ୍କ ସହ ସେଠାକୁ ଯିବାକୁ ପ୍ରସ୍ତୁତି କରୁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଗତକାଲି ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରେ ଥିଲେ ମଧ୍ୟ ଲକ୍ଷ୍ମୀପୁର ଖେରୀ ଯାଇନଥିଲେ। ଶବ ବ୍ୟବଚ୍ଛେଦ ସଠିକ୍ ଭାବରେ କରାଯାଉନାହିଁ | ଆଜି ଆମେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହ ଲକ୍ଷ୍ମୀପୁର ଖେରୀ ଯାଇ ସେହି ପରିବାରମାନଙ୍କୁ ଭେଟିବାକୁ ଚେଷ୍ଟା କରିବୁ ବୋଲି ରାହୁଲ କହିଛନ୍ତି | ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ପ୍ରଶାସନ ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ଦେଇ ନାହିଁ। ନୋଏଡା ଠାରେ ସେମାନଙ୍କୁ ରୋକିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି |

ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ମଧ୍ୟ ଗଣମାଧ୍ୟମ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗ ଉଠାଇବା ମୁଖ୍ୟତଃ ଗଣମାଧ୍ୟମର ଦାୟିତ୍ବ ଅଟେ। କିନ୍ତୁ ଯେତେବେଳେ ମୁଁ ଏନେଇ ପ୍ରଶ୍ନ ଉଠାଏ, ଆପଣମାନେ କୁହନ୍ତି ଯେ ଆମେ ରାଜନୀତି କରୁଛୁ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ୩ ଜଣ ଲୋକ ଲକ୍ଷ୍ମୀପୁର ଖେରୀ ଯାଉଛୁ। ମୁଁ ଜାଣେ ସେଠାରେ ପ୍ରଶାସନ ୧୪୪ ଲାଗୁ କରୁଛି ଏବଂ ୫ ଜଣଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାକୁ ବାରଣ କରାଯାଇଛି | ତେଣୁ ଆଇନ ଅନୁସାରେ ସେଠାକୁ ଯିବା ପାଇଁ ଆମକୁ ରୋକାଯିବା ଠିକ୍ ନୁହେଁ। ଆମେ ଶୋକସନ୍ତପ୍ତ ପରିବାରର ଦୁଃଖ ବାଣ୍ଟିବାକୁ ଚାହୁଁଛୁ | ଆମେ କେଉଁ ଭୁଲ କରିଛୁ ଯେ ପ୍ରଶାସନ ଆମକୁ ଲକ୍ଷ୍ମୀପୁର ଖେରୀ ଯିବାକୁ ବାରଣ କରୁଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

Comments are closed.