ଚଳିତ ବର୍ଷ ପୁରୁଣା ଫର୍ମାଟରେ ହେବ ନିଟ୍ ସୁପର ସ୍ପେସିଆଲିଟି ପରୀକ୍ଷା, ଆସନ୍ତା ବର୍ଷରୁ ନୂଆ ଫର୍ମାଟ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସରକାର ଚଳିତ ଶିକ୍ଷାବର୍ଷରେ ନିଟ୍ ସୁପର ସ୍ପେସିଆଲିଟି ପରୀକ୍ଷା ପୁରୁଣା ଫର୍ମାଟରେ କରିବାକୁ ରାଜି ହୋଇଛନ୍ତି। ବୁଧବାର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ଯେ ଚଳିତ ବର୍ଷ ନିଟ୍ ସୁପର ସ୍ପେସିଆଲିଟି ପୁରୁଣା ଫର୍ମାଟରେ କରାଯିବ। କିନ୍ତୁ ଆସନ୍ତା ବର୍ଷ (୨୦୨୨-୨୩) ଠାରୁ ଏହି ପରୀକ୍ଷା ନୂଆ ଢାଞ୍ଚାରେ ହେବ | ସରକାରଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ କୋର୍ଟ ଏ ସମ୍ବନ୍ଧୀୟ ସମସ୍ତ ବିଚାରାଧୀନ ଶୁଣାଣି ବନ୍ଦ କରିଛନ୍ତି। ପୁରୁଣା ଢାଞ୍ଚାରେ ପରୀକ୍ଷା ପରିଚାଳନା କରିବାକୁ କେନ୍ଦ୍ର ସରକାର ଦୁଇମାସ ସମୟ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନିଟ୍ ସୁପର ସ୍ପେସିଆଲିଟି ପରୀକ୍ଷା ଫର୍ମାଟରେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ ନେଇ ସୁପ୍ରିମକୋର୍ଟ ଅଗଷ୍ଟ ୨୭ରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। କ୍ଷମତାର ଖେଳରେ କେନ୍ଦ୍ର ସରକାର ଯୁବ ଡାକ୍ତରଙ୍କୁ ଫୁଟବଲ ଭାବେ ବ୍ୟବହାର କରିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଟିପ୍ପଣୀ କରିଥିଲେ। ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ବି.ଭି ନାଗରତ୍ନାଙ୍କ ଏକ ଖଣ୍ଡପୀଠ କହିଥିଲେ ଯେ ଯଦି ପରୀକ୍ଷା ଫର୍ମାଟରେ ପରିବର୍ତ୍ତନକୁ ନେଇ ଯୁକ୍ତିରେ କୋର୍ଟ ସନ୍ତୁଷ୍ଟ ନୁହଁନ୍ତି, ତା’ହେଲେ ଆମେ ଏହା ବିରୋଧରେ ଆଦେଶ ଜାରି କରିବୁ।

୪୧ ଜଣ ସ୍ନାତକୋତ୍ତର ଡାକ୍ତରଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ପ୍ରସଙ୍ଗ ଉପରେ ଶୁଣାଣି କରିଥିଲେ । କୋର୍ଟ କହିଥିଲେ ଯେ କିଛି ଅସମ୍ବେଦନଶୀଳ ଅମଲାତନ୍ତ୍ରଙ୍କ ଦୟାରେ ଆମେ ଯୁବ ଡାକ୍ତରଙ୍କୁ ଛାଡି ପାରିବୁ ନାହିଁ। ଯୁବ ଡାକ୍ତରଙ୍କ ଭବିଷ୍ୟତ ପାଇଁ ଏହି ମାମଲା ଗୁରୁତ୍ୱପୂର୍ଣ୍ଣ |

Comments are closed.