ଉତ୍ତର ପ୍ରଦେଶ ବାରବାଙ୍କିରେ ବସ୍-ଟ୍ରକ୍ ଧକ୍କା, ୧୨ ମୃତ, ୩୦ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରବାଙ୍କି ଆଉଟର ରିଙ୍ଗ୍ ରୋଡରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍ ସହ ଟ୍ରକ୍ ଧକ୍କା ହେବା ଫଳରେ ଅତିକମରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ଲୋକମାନେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ନାଗର କୋଟୱାଲୀର ମାତି ପୋଲିସ ଥାନା ଅଧୀନ ବାବୁରୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଗାଈକୁ ବଞ୍ଚାଇବାକୁ ଯାଇ ବସ୍ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି କୁହାଯାଉଛି ।

ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଅଧୀକ୍ଷକ ଯମୁନା ପ୍ରସାଦ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ବସଟି ଦିଲ୍ଲୀରୁ ବହରାଇଚ୍ ଯାଉଥିଲା | ବସ୍‌ରେ ୬୦ ରୁ ୭୦ ଜଣ ଯାତ୍ରୀ ଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ ଡଃ ଆଦର୍ଶ ସିଂ କହିଛନ୍ତି ଯେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଆହତମାନଙ୍କ ମଧ୍ୟରେ ଗୋଣ୍ଡା, ବହରାଇଚ ଏବଂ ବାରବାଙ୍କିର ଲୋକ ଅଛନ୍ତି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

Comments are closed.