କେନ୍ଦ୍ରର ପ୍ରସ୍ତାବକୁ କୃଷକ ନେତାଙ୍କ ପ୍ରତ୍ୟାଖ୍ୟାନ, ଜାରି ରହିବ ଆନ୍ଦୋଳନ

ଚଣ୍ଡିଗଡ଼: ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଥିବା କୃଷକ ନେତାମାନେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ସରକାରୀ ସଂସ୍ଥା ଦ୍ବାରା ଡାଲି, ମକା ଓ କପା କିଣିବା ନେଇ କେନ୍ଦ୍ରର ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । ସରକାରଙ୍କ ଏହି ପ୍ରସ୍ତାବ ଚାଷୀଙ୍କ ସ୍ବାର୍ଥରେ ନୁହେଁ ବୋଲି ସେମାନେ କହିଛନ୍ତି । ବୁଧବାର ଠାରୁ ପୁଣିଥରେ ସେମାନେ ଜାତୀୟ ରାଜଧାନୀ ଅଭିମୁଖେ ପଦଯାତ୍ରା କରିବେ ବୋଲି କୃଷକ ନେତାମାନେ ଘୋଷଣା କରିଛନ୍ତି ।

କୃଷକ ନେତା ସୌରଭ ସିଂହ ପାନ୍ଧେର୍ କହିଛନ୍ତି, ସରକାର ଆମ ସମସ୍ୟାର ସମାଧାନ କରନ୍ତୁ ନତୁବା ଅବରୋଧ ହଟାଇ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ପାଇଁ ଆମକୁ ଦିଲ୍ଲୀ ଯିବାକୁ ଅନୁମତି ଦିଅନ୍ତୁ ।

କୃଷକମାନଙ୍କ ସହ ଆଲୋଚନା ପରେ ତିନି ଜଣିଆ କେନ୍ଦ୍ର ମନ୍ତ୍ରୀଙ୍କ ଏକ କମିଟି ସରକାରୀ ସଂସ୍ଥା ଦ୍ୱାରା ଏମଏସପିରେ ଡାଲି, ମକା ଏବଂ କପା କିଣିବା ପାଇଁ ପାଞ୍ଚ ବର୍ଷିଆ ଚୁକ୍ତି ପ୍ରସ୍ତାବ ଦେଇଥିଲେ। ରବିବାର ଚଣ୍ଡିଗଡ଼ରେ ଅନୁଷ୍ଠିତ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ସମୟରେ ତିନିଜଣ କେନ୍ଦ୍ର ମନ୍ତ୍ରୀ – ପୀୟୁଷ ଗୋୟଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ଏହି ପ୍ରସ୍ତାବ ଚାଷୀଙ୍କ ନିକଟରେ ରଖିଥିଲେ।

ଏହା ପୂର୍ବରୁ ୨୦୨୦-୨୧ରେ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିବା ସଂଯୁକ୍ତ କିସାନ ମୋର୍ଚା (ଏସକେଏମ୍) ମଧ୍ୟ
ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲା। ଏସକେଏମ୍ କହିଥିଲା ଯେ ଏହା ଚାଷୀଙ୍କ ଏମଏସପି ଦାବିକୁ ଦୁର୍ବଳ କରିବା ପାଇଁ ଏକ ଉଦ୍ୟମ । ଏହା ସେମାନେ ଗ୍ରହଣ କରିବେ ନାହିଁ। ଏମ୍ଏସପି ପାଇଁ ସ୍ବାମୀନାଥନ୍ କମିଶନ ରିପୋର୍ଟରେ ସୁପାରିସ ‘ସି୨ + ୫୦% ‘ ସୂତ୍ରଠାରୁ କମ୍ କିଛି ବି ସେମାନେ ଗ୍ରହଣ କରିବେ ନାହିଁ ।

ପରେ କୃଷକ ନେତା ଜଗଜିତ ସିଂ ଡଲେୱାଲ କହିଥିଲେ, ଆମର ଦୁଇ ମଞ୍ଚରେ (କେନ୍ଦ୍ରର ପ୍ରସ୍ତାବ) ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯାଇଛି ଯେ କେନ୍ଦ୍ରର ପ୍ରସ୍ତାବ କୃଷକଙ୍କ ସ୍ୱାର୍ଥରେ ନାହିଁ । ଆମେ ଏହି ପ୍ରସ୍ତାବକୁ ଖାରଜ କରୁଛୁ। ଆମେ ଫେବୃଆରୀ ୨୧ରେ ପୂର୍ବାହ୍ନ ୧୧ଟାରୁ ଶାନ୍ତିପୂର୍ଣ୍ଣ ଭାବେ ପୁଣି ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବୁ ବୋଲି ସେ କହିଛନ୍ତିି।

ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ କେନ୍ଦ୍ର ଉପରେ ଚାପ ପକାଇବା ସକାଶେ ହଜାର ହଜାର ଚାଷୀ ଗତ ମଙ୍ଗଳବାର ‘ଦିଲ୍ଲୀ ଚଲୋ’ ପଦଯାତ୍ରାରେ ବାହାରିଥିଲେ।‌ ହେଲେ ହରିୟାଣା-ପଞ୍ଜାବ ସୀମାର ଶମ୍ଭୁ ଏବଂ ଖନ୍ନୌରି ଠାରେ ସୁରକ୍ଷା ବାହିନୀ ସେମାନଙ୍କୁ ଅଟକାଇଥିଲେ। ଗତ ସପ୍ତାହରେ ବିକ୍ଷୋଭରତ ଚାଷୀ ଓ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଘଟିଥିଲା ।

କୃଷକମାନେ ଏମଏସପି ର ଆଇନଗତ ଗ୍ୟାରେଣ୍ଟି ବ୍ୟତୀତ ସ୍ବାମୀନାଥନ୍ କମିସନର ସୁପାରିଶକୁ କାର୍ଯ୍ୟକାରୀ କରିବା, କୃଷକ ଏବଂ କୃଷି ଶ୍ରମିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା, କୃଷି ଋଣ ଛାଡ଼, ବିଦ୍ୟୁତ୍ ଦର ନ ବଢ଼ାଇବା, ପୋଲିସ୍ ମାମଲା ପ୍ରତ୍ୟାହାର, ୨୦୨୧ରେ ଲକ୍ଷ୍ମୀପୁର ଖେରୀ ହିଂସା ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିବା, ଜମି ଅଧିଗ୍ରହଣ ଆଇନ, ୨୦୨୩କୁ ପୁନଃ ଲାଗୁ କରିବା ଏବଂ ୨୦୨୦-୨୧ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତିପୂରଣ ଆଦି ଦାବି କରୁଛନ୍ତି ।

Comments are closed.