ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କଲେ ସୁପ୍ରିମକୋର୍ଟ, ରିଟର୍ଣ୍ଣିଂ ଅଫିସରଙ୍କୁ ଅଦାଲତ ଅବମାନନା ନୋଟିସ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ପୂର୍ବ ଫଳାଫଳକୁ ରଦ୍ଦ କରିଛନ୍ତି ।

ଏହାଛଡ଼ା କୋର୍ଟଙ୍କୁ ମିଛ କହିଥିବାରୁ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତିି ସୁପ୍ରିମକୋର୍ଟ । ଚଣ୍ଡିଗଡ଼ ମେୟର ନିର୍ବାଚନ ପରିଚାଳନା କରିଥିବା ମସିହ ଆପ୍-କଂଗ୍ରେସ ପ୍ରାର୍ଥୀ ସପକ୍ଷରେ ପଡ଼ିଥିବା ୮ଟି ଭୋଟକୁ ଜାଣିଶୁଣି ନାକଚ କରିଥିବା ଅଭିଯୋଗ ହୋଇଥିଲା । ତିନି ସପ୍ତାହ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ ତାଙ୍କୁ କୁହାଯାଇଛି।

ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ରାୟକୁ ‘ଗଣତନ୍ତ୍ରର ବିଜୟ’ ବୋଲି କହିବା ସହ ନିର୍ବାଚନରେ ଜାଲିଆତି ପାଇଁ ବିଜେପିକୁ ଭର୍ତ୍ସନା କରିଛି ।

ଏହି ମାମଲାରେ ସୋମବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଚଣ୍ଡିଗଡ଼ ମେୟର ନିର୍ବାଚନର ସମସ୍ତ ବାଲଟ୍ ପେପର ଓ ଭିଡିଓ ରେକର୍ଡିଂ ମଙ୍ଗଳବାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ନାକଚ କରିଥିବା ୮ ବାଲଟ୍ ପେପରକୁ ଯାଞ୍ଚ୍ କରିଥିଲେ ‌। ଏହି ୮ ଭୋଟ୍ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସପକ୍ଷରେ ପଡ଼ିଥିଲା । କିନ୍ତୁ ମସିହ ଏଗୁଡ଼ିକୁ ଜାଣିଶୁଣି ବିକୃତ କରି ଅବୈଧ ଘୋଷଣା କରି ଦେଇଥିଲେ । ସୁପ୍ରିମକୋର୍ଟ ଏହି ୮ ଭୋଟକୁ ମିଶାଇ ପୁନଃ ଗଣନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁନଃ ଗଣନା ପରେ ଆପ୍-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତିି କୋର୍ଟ।

ଜାନୁଆରୀ ୩୦ରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ମନୋଜ ସୋନକରଙ୍କ ଠାରୁ ହାରିଯାଇଥିଲେ କୁଲଦୀପ । ମନୋଜ ସୋନକରଙ୍କ ସପକ୍ଷରେ ୧୬ ଭୋଟ ପଡ଼ିଥିବା ବେଳେ କୁଲଦୀପ କୁମାରଙ୍କୁ ୧୨ ଭୋଟ୍ ମିଳିଥିଲା। ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ୮ ଭୋଟ୍ ନାକଚ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ବିଜେପି ବିରୋଧରେ ଜାଲିଆତି ଅଭିଯୋଗ ଆଣିଥିଲେ ଆପ୍-କଂଗ୍ରେସ । ଏନେଇ ଆପ୍ ଓ କଂଗ୍ରେସ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ସେମାନଙ୍କ ଆବେଦନ ଶୁଣିବାକୁ ମନା କରିବା ପରେ ଉଭୟ ଦଳ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

Comments are closed.