୧୬ ପୌରାଞ୍ଚଳର ୯୫ଟି ଜଳାଶୟର ପୁନଃଉଦ୍ଧାର ପାଇଁ ୩୬୪ ମିଶନ ଶକ୍ତି ଗୋଷ୍ଠୀଙ୍କୁ ‘ଆମ ପୋଖରୀ’ କାର୍ଯ୍ୟାଦେଶ 

ଭୁବନେଶ୍ୱର – ଓଡ଼ିଶା ସରକାରଙ୍କର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ଆମ ପୋଖରୀ ଯୋଜନାରେ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ମିଶନ ଶକ୍ତି ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅନଲାଇନ ଯୋଗେ ବିଭିନ୍ନ ପୌରାଞ୍ଚଳ ସହିତ ସଂଯୋଜିତ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଷ୍ଠୀ ସହଭାଗିତାରେ ପରିବେଶ ଦୃଷ୍ଟିକୋଣରୁ ଦୀର୍ଘସ୍ଥାୟୀ ଜଳାଶୟ ନିର୍ମାଣ ନିମନ୍ତେ ଏହି ଦୂରଦୃଷ୍ଟି ସଂପନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ‘ମୁକ୍ତା’ ଅନ୍ତର୍ଗତ ‘ଆମ ପୋଖରୀ’ ଯୋଜନାରେ ସହରାଞ୍ଚଳ ଜଳଶୟଗୁଡିକର ନବୀକରଣ ଓ ପୁନଃଉଦ୍ଧାର ନିମନ୍ତେ ଆଜି ମିଶନ ଶକ୍ତିର ମାଆମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସହରାଞ୍ଚଳ ଜଳାଶୟଗୁଡିକର ଉନ୍ନତିକରଣ ଏବଂ ପୁନଃଉଦ୍ଧାର ନିମନ୍ତେ ୫-ଟି ଅଧିନରେ କାର୍ଯ୍ୟ ଜାରି ରହିଛି ।

ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜ୍ଞାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଏବଂ ଡେପୁଟି ମେୟର ମଞ୍ଜୁଲତା କହଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି.ମାଥିଭାଥନନ୍ ରାଜ୍ୟରେ ସହରାଞ୍ଚଳ ରୁପାନ୍ତୀକରଣ ସଂପର୍କରେ ଆଲୋକପାତ କରିଥିଲେ । ୫-ଟି ଅଧିନରେ ସହରାଞ୍ଚଳରେ ଅବ୍ୟବହୃତ ହୋଇପଡିଥିବା ଜଳାଶୟଗୁଡିକର ପୁନଃଉଦ୍ଧାର ଓ ରୂପାନ୍ତରୀକରଣ କରାଯାଇ, ତାହାକୁ ବ୍ୟବହାର ଉପଯୋଗୀ କରାଯାଉଛି । ଏହା ଦ୍ୱାରା ମାଆମାନେ କେବଳ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେଉଛନ୍ତି ତାହା ନୁହେଁ, ନିଜର ଦକ୍ଷତା ପ୍ରତିପାଦନ କରିପାରୁଛନ୍ତି ବୋଲି ସେ କହିଥିଲେ ।

ମିଶନ ଶକ୍ତିର ମାଆମାନଙ୍କ କରସ୍ପର୍ଶରେ ଭୁବନେଶ୍ୱରର ଚିତ୍ର ବଦଳି ଯାଇଛି । କେବଳ ଜଳାଶୟ ନୁହେଁ, ପାର୍କ ନିର୍ମାଣ ଓ ପରିଚାଳନା, ରାସ୍ତା ସୌନ୍ଦର୍ଯ୍ୟକରଣ, ପେଭର ବ୍ଲକ ଇତ୍ୟାଦି କାମ କରି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ଓ ବିଶ୍ୱାସକୁ ସଫଳ କରିବା ସହ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ମାଆମାନେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ମେୟର ସୁଲୋଚନା ଦାସ ।

ଶେଷରେ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱତନ୍ତ ଶାସନ ସଚିବ ସାଗରିକା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Comments are closed.