ବିଜୁବାବୁଙ୍କ ୧୦୮ତମ ଜୟନ୍ତୀରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ ବିଜେଡି

ଭୁବନେଶ୍ୱର – ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୮ତମ ଜନ୍ମ ଦିବସ । ଏହି ଦିବସ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ , ବ୍ଲକ , ଏବଂ ସହରାଞ୍ଚଳରେ ମହାସମାରୋହରେ ପାଳନ କରାଯିବାକୁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୫ ତାରିଖ ସକାଳେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏହି ଦିବସ ପାଳନର ଶୁଭାରମ୍ଭ କରାଯିବ । ଦଳ ପକ୍ଷରୁ ଡାକ୍ତରଖାନା , ବୃଦ୍ଧାଶ୍ରମ , ଅନାଥାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ ସହିତ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ସ୍ତରରେ ସାଇକେଲ ଶୋଭାଯାତ୍ରା ଗଣଦୌଡ଼ ଆୟୋଜିତ ହେବ । ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦଳର ନିର୍ବାଚିତ ଜନପ୍ରତିନିଧି , ଦଳୀୟ କର୍ମକର୍ତ୍ତା , ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା , ସକ୍ରିୟ ସଦସ୍ୟ ସଦସ୍ୟା , ଦଳୀୟ କର୍ମୀ , ବିଜୁ ବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ , ଏକ ସଶକ୍ତ ଏବଂ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ । ଉପସ୍ଥିତ ସମସ୍ତ ସଦସ୍ୟ ଏକ ‘ ସମୃଦ୍ଧ , ସଶକ୍ତ , ନବୀନ ଓଡ଼ିଶା ଗଠନ ନିମନ୍ତେ ଅଙ୍ଗୀକାରବଦ୍ଧ ହୋଇ ଶପଥ ଗ୍ରହଣ କରିବେ ।

ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ବିଜୁ ଜନତା ଦଳ ଯଥୋଚିତ ସମ୍ମାନ , ଶ୍ରଦ୍ଧା ଏବଂ ସେବା ମନୋଭାବ ସହିତ ପାଳନ କରି ଆସୁଛି | ଏ ବର୍ଷ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ଏହି ଦିବସ ପାଳନ ଉପଲକ୍ଷେ ଏକ ମହିଳା ସମାବେଶ ଆୟୋଜନ କରାଯିବ । ବିଜୁ ବାବୁ ମହିଳା ମାନଙ୍କର ଅର୍ଥନୈତିକ , ସାମାଜିକ , ଏବଂ ରାଜନୈତିକ ସଶକ୍ତିକରଣ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରି ଅତୁଳନୀୟ ଉଦାହରଣ ସୃଷ୍ଟି କରିଯାଇଛନ୍ତି । ସେହିଭଳି ବିଜେଡି ସରକାରଙ୍କ ଦ୍ବାରା ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ଅନୁକରଣୀୟ ପଦକ୍ଷେପ ଗ୍ରହଣ କରାଯାଇଛି , ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ମା’ମାନଙ୍କର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ହାସଲ କରାଯାଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନୁକରଣୀୟ ଉଦାହରଣ ସୃଷ୍ଟି କରାଯାଇଛି । ଏ ସଂପର୍କରେ ଉପରୋକ୍ତ ବୈଠକରେ ସବିଶେଷ ଆଲୋଚନା କରାଯିବ ।
ଏପ୍ରିଲ ୧୭ ତାରିଖ ବିଜୁବାବୁଙ୍କ ତିରୋଧାନ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପରି ନିଆଯାଇଛି ।

Comments are closed.