ନଓ୍ବାବ ମଲିକଙ୍କ ଅଭିଯୋଗ: ଡ୍ରଗ୍ସ ପାର୍ଟି ମାମଲାରେ ଅଟକ ବିଜେପି ନେତାଙ୍କ ସମ୍ପର୍କୀୟଙ୍କୁ ଛାଡ଼ି ଦେଇଥିଲା ଏନସିବି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ନାର୍କୋଟିସ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ର କାର୍ଯ୍ୟାନୁଷ୍ଠାନକୁ ନେଇ ଏନସିପି ଲଗାତାର ଭାବରେ ପ୍ରଶ୍ନ ଉଠାଇ ଆସିଛି। ଏନସିପି ନେତା ନଓ୍ବାବ ମଲିକ ଏନସିବି ଉପରେ ବଡ ଅଭିଯୋଗ ଆଣି କହିଛନ୍ତି ଯେ ଏହି ମାମଲାରେ ଏନସିବି ୮ ଜଣ ନୁହେଁ ବରଂ ୧୧ ଜଣଙ୍କୁ ଅଟକ ରଖିଥିଲା । ତେବେ ପରେ ଜଣେ ବିଜେପି ନେତାଙ୍କ ସମ୍ପର୍କୀୟଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଛାଡ଼ି ଦେଇଥିଲା ଏନସିବି ।

ନଓ୍ବାବ ମଲିକ କହିଛନ୍ତି, “ଯେଉଁ ଦିନ ଏନସିପି କ୍ରୁଜରେ ଚଢାଉ କରିଥିଲା, ସେହି ଦିନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେ କହିଥିଲେ ଯେ ଆମେ ୮ ରୁ ୧୦ ଜଣଙ୍କୁ ଅଟକ ରଖିଛୁ। ଜଣେ ଉତ୍ତରଦାୟୀ ଅଧିକାରୀ କିପରି ଏଭଳି ମିଛ ବୟାନ ଦେଇପାରୁଛନ୍ତି? ଏନସିବି ୮ କିମ୍ବା ୧୦ ନୁହେଁ ବରଂ ୧୧ ଜଣଙ୍କୁ ଅଟକ ରଖିଥିଲା ।

କିଛି ଭିଡିଓ ରିଲିଜ୍ କରି ନଓ୍ବାବ ମଲିକ୍ ଏନସିବିର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି। ମଲିକ କହିଛନ୍ତି ଯେ ରିଷଭ ସଚ୍ଚଦେବଙ୍କୁ ଦୁଇ ଘଣ୍ଟା ଅଟକ ରଖିବା ପରେ ଛାଡ଼ି ଦିଆଯାଇଥିଲା। ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଏକାଠି ଛାଡ଼ି ଦିଆଯାଇଥିଲା। ରିଷଭ ସଚ୍ଚଦେବ ହେଉଛନ୍ତି ବିଜେପି ନେତା ରୋହିତ କମଭୋଜଙ୍କ ଶଳା । ଏହି ମାମଲାର ଶୁଣାଣି ଚାଲିଥିବାବେଳେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ପ୍ରତୀକ ଗାବା ଏବଂ ଆମୀର ଫର୍ନିଚରଓ୍ବାଲାଙ୍କ ନାମ ଉଠିଥିଲା । ଏହି ୨ ଜଣଙ୍କ ନିମନ୍ତ୍ରଣ କ୍ରମେ ଆର୍ୟନ ଖାନ୍ ସେଠାକୁ ଯାଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏନସିବି ୧୩୦୦ ଲୋକ ଥିବା ଜାହାଜରେ ଚଢାଉ କରିଥିଲା । ଏହି ଚଢାଉ ୧୨ ଘଣ୍ଟା ଧରି ଚାଲିଥିଲା । ବାଛି ବାଛି ସେମାନେ ୧୧ ଜଣଙ୍କୁ ଅଟକ ରଖିଥିଲେ। ପରେ ତିନି ଜଣଙ୍କୁ ଛାଡ଼ିଦେବା ପାଇଁ କିଏ ଆଦେଶ ଦେଇଥିଲା ତାହା ଏନସିବିକୁ ଜଣାଇବାକୁ ପଡ଼ିବ | ଦିଲ୍ଲୀରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବିଜେପିର ନେତାମାନେ ସେମାନଙ୍କୁ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ କି ବୋଲି ମଲିକ ପ୍ରଶ୍ନ କରିଛନ୍ତି ।

Comments are closed.