ପୁଣି ଚଳଚଞ୍ଚଳ ହେବ ସମ୍ବଲପୁରୀ ବୁଣାକାର ସମବାୟ ସମିତି

ବୁଣାକାରଙ୍କ ବିକାଶ ପାଇଁ ୩ ବିଭାଗର ମିଳିତ ଉଦ୍ୟମ 

ଖୋଲିବ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା

ସମ୍ବଲପୁର : ସମ୍ବଲପୁରୀ ବସ୍ତ୍ରର ଚାହିଦା ବିଶ୍ୱବିଦିତ । ହେଲେ କେନ୍ଦ୍ର ସରକାର ସୂତା ଉପରେ ଜିଏସ୍‌ଟି ଲାଗୁ କରି ବୁଣାକାରଙ୍କ ପେଟରେ ଲାତ ମାରିଛନ୍ତି । ସେପଟେ , ବୁଣାକାରଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ସାଙ୍ଗକୁ ଏହି ବସ୍ତ୍ରର ପ୍ରସିଦ୍ଧିକୁ ଆହୁରି ବ୍ୟାପକ କରିବାକୁ ସରକାର ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି । ବୁଣାକାରଙ୍କ ବିକାଶ ଦିଗରେ ରାଜ୍ୟ ସରକାର ଅନେକ ପଦକ୍ଷେପ ହାତକୁ ନେଉଛନ୍ତି । ଏଭଳି ସ୍ଥିତିରେ ଏଭଳି ସ୍ଥିତିରେ ଜିଲ୍ଲାରେ ଥିବା ସମ୍ବଲପୁରୀ ବସ୍ତ୍ର ବୁଣାକାରଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇବା ସହ ବଜାର ବ୍ୟବସ୍ଥା କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ଜିଲ୍ଲାର କେତେକ ସ୍ଥାନରେ ବୁଣାକାର ସମବାୟ ସମିତି କାର୍ଯ୍ୟ କରୁଥିଲା । ହେଲେ ବିଭିନ୍ନ କାରଣରୁ ସେ ଗୁଡିକ ବର୍ତ୍ତମାନ ସକ୍ରିୟ ନାହାନ୍ତି । ତେବେ , ବର୍ତ୍ତମାନ ଉକ୍ତ ସମବାୟ ସମିତି ଗୁଡିକୁ ପୁଣିଥରେ ସକ୍ରିୟ କରିବା ସହ ବୁଣାକାର ପରିବାର ଯେଭଳି ସମିତିରୁ ପୂର୍ବଭଳି ସମସ୍ତ ସୁବିଧା ପାଇପାରିବେ ଏନେଇ ଜିଲ୍ଲା ପ୍ରଶାସନ , ମିଶନ ଶକ୍ତି , ଓର୍‌ମାସ୍‌ର ମିଳିତ ଆନୁକୂଲ୍ୟରେ ପଦକ୍ଷେପ ଗ୍ରହଣ ହୋଇଛି ।

ସରକାରୀ ଭାବେ ସୂଚନା ଅନୁଯାୟୀ , ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୩ ଶହରୁ ଅଧିକ ପରିବାର ସମ୍ବଲପୁରୀ ବସ୍ତ୍ର ବୁଣି ରୋଜଗାର ମେଣ୍ଟାଉଛନ୍ତି । ସେଥିରୁ ଧନକଉଡ଼ା ବ୍ଳକ କର୍ଡୋଲା ପଞ୍ଚାୟତର କର୍ଡୋଲା , ମାନେଶ୍ବର ବ୍ଲକର ଚାରପାଲି , ରେଢ଼ାଖୋଲ ବ୍ଳକର କନ୍ଧରା ଏବଂ ଯୁଯୁମୁରା ବ୍ଳକର ବଡତୁରାଙ୍ଗ ଗ୍ରାମରେ ଏହି ବୁଣାକାର ପରିବାର ରହିଛନ୍ତି । ହେଲେ ବିଭିନ୍ନ କାରଣରୁ ଯୁଯୁମୁରା ବଡତୁରାଙ୍ଗ ଗ୍ରାମର ପ୍ରାୟ ୩୦ ପରିବାର ଦୀର୍ଘ ୨୦ ବର୍ଷ ହେଲା ସମ୍ବଲପୁରରୀ ବସ୍ତ୍ର ବୁଣା କାର୍ଯ୍ୟରୁ ଦୁରେଇ ଯାଇଥିଲେ । ହେଲେ ବର୍ତ୍ତମାନ ପୁରୁଣା ବୁଣାକାରଙ୍କୁ ପୁଣି ଥରେ ସେହି ପେଷାକୁ ଫେରାଇ ଆଣିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ସେମାନଙ୍କୁ ତାଲିମ ଓ ଆର୍ଥିକ ପ୍ରୋତ୍ସାହନ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ଗତ ପ୍ରାୟ ଏକ ବର୍ଷ ହେବ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି । ତାଲିମ ବ୍ୟବସ୍ଥା ସହ ଆର୍ଥିକ ସହାୟତା ଦେଇ ବୁଣାକାର୍ଯ୍ୟ ଆରମ୍ଭ କରିବାକୁ ଆବଶ୍ୟକ ଯନ୍ତ୍ରପାତି ବ୍ୟବସ୍ଥା କରାଯାଇଛି । କେବଳ ଏତିକି ନୁହେଁ , ବସ୍ତ୍ର ପ୍ରସ୍ତୁତି ପରେ ଏହାର ବଜାର ବ୍ୟବସ୍ଥା ପାଇଁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ସହ ଯୋଗାଯୋଗ କରାଯାଇଛି । ଆଗକୁ ଅନ୍‌ଲାଇନ୍ ବଜାର ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି ।

ସେପଟେ , ବୁଣାକାର କାମରୁ ଦୂରେଇ ଯାଇଥିବା ପରିବାରକୁ ପୁଣି ମୁଖ୍ୟ ଧାରାକୁ ଫେରାଇ ଆଣିବାକୁ ପ୍ରଶାସନ ଏବଂ ରାଜ୍ୟ ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ବାନ୍ଧକଳା ଉପରେ ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହିପରି ଆଗକୁ ଚାରପାଲି ଓ ବଡତୁରାଙ୍ଗ ସ୍ଥିତ ବୁଣାକାରଙ୍କ ପାଇଁ ଆଉ ୬୦ ଦିନିଆ ସ୍ଵତନ୍ତ୍ର ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯିବ । ବୁଣାକାର ଗୋଷ୍ଠୀ ଗଠନ କରାଯାଇ ବୁଣାକାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତି ଗୋଷ୍ଠୀକୁ ୨ ଲକ୍ଷ ୪ ହଜାର ଟଙ୍କା ପ୍ରଦାନ ହୋଇଛି । ବଡତୁରାଙ୍ଗ ସ୍ଥିତ ଗୋଷ୍ଠୀଙ୍କୁ ତାଲିମ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯନ୍ତ୍ରପାତି କ୍ରୟ ପାଇଁ ଅତିରିକ୍ତ ଭାବେ ୧.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ଓରମାସ୍ ଜିଲ୍ଲା ଅଧିକାରୀ ଶ୍ରୀମନ୍ତ ହୋତା ସୂଚନା ଦେଇଛନ୍ତି ।

Comments are closed.