ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ପାଇଁ ବିଜେଡି ସବୁ କିଛି କରିବ: ବରିଷ୍ଠ ବିଜେଡି ନେତା

ଭୁବନେଶ୍ବର – ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ସବୁ କିଛି କରିବ । ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଦଳର ବରିଷ୍ଠ ନେତାମାନେ ଏହା କହିଛନ୍ତି। ୨୦୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମୟ ମଧ୍ୟରେ ଅନେକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ଓଡ଼ିଶାର ସ୍ୱାର୍ଥ ହାସଲ ପାଇଁ ବିଜୁ ଜନତା ଦଳ ଯାହା କିଛି ସମ୍ଭବ, ସବୁ କରିବ ବୋଲି ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଓ ବରିଷ୍ଠ ସାଧାରଣ ସମ୍ପାଦକ ଅରୁଣ ସାହୁ ଗଣମାଧ୍ୟମକୁ ମିଳିତ ବିବୃତି ଜାରି କରି କହିଛନ୍ତି। ନବୀନ ନିବାସରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ବିବୃତି ଦିଆଯାଇଛି। ବୈଠକରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳୀୟ ରଣନୀତି ନେଇ ବ୍ୟାପକ ବିଚାରବିମର୍ଶ ହୋଇଥିଲା।

ଶେଷ ହୋଇଛି ନବୀନ ନିବାସରେ ବସିଥିବା ଦୀର୍ଘ ସାଢେ ୩ ଘଣ୍ଟାକ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ବିଷୟ ଉପରେ ଆଲୋଚନା କରାଯାଇଛି। ବୈଠକ ସମାପ୍ତ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ବୈଠକରେ ନିର୍ବାଚନର ସବୁ ଦିଗ ଉପରେ ଆଲୋଚନା ହୋଇଥିବା କହିଛନ୍ତି ଦେବୀ ମିଶ୍ର। ଓଡିଶା ଆଜି ସବୁ କ୍ଷେତ୍ରରେ ସଫଳତା ପାଇ ଚାଲିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ବିକାଶର ଶୀର୍ଷ ଛୁଇଁଛି। ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି ଏବଂ ଆଗକୁ ମଧ୍ୟ ଲୋକଙ୍କ ସ୍ୱାର୍ଥ ପାଇଁ ଦଳ କାମ କରିବ। ଆସନ୍ତା ୧୨ ବର୍ଷ ପରେ ଓଡିଶା ଗଠନକୁ ଶହେ ବର୍ଷ ପୂରଣ ହେବ। ମାଇଲଷ୍ଟୋନ ପୂରଣ ପାଇଁ ଯାହା ଆବଶ୍ୟକ ପଡିବ ନିଷ୍ପତି ନିଆଯିବ। ରାଜ୍ୟର ସ୍ୱାର୍ଥ ପାଇଁ ଦଳର ସଭାପତି ଯାହା ନିଷ୍ପତି ନେବ ତାହା ଆମେ ମାନିବୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର।

Comments are closed.