ପୁରୁଷ ଟି-୨୦ ବିଶ୍ୱକପରେ ପ୍ରଥମ ଥର ଡିଆରଏସ୍ ଲାଗୁ ହେବ

ଦୁବାଇ: ଆଇପିଏଲ୍ ପରେ ଅକ୍ଟୋବର ୧୭ ରୁ ୟୁଏଇ ଓ ଓମାନରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି | ଚଳିତ ବର୍ଷ ପୁରୁଷ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଡିସିସନ୍ ରିଭ୍ୟୁ ସିଷ୍ଟମ (ଡିଆରଏସ୍) ବ୍ୟବହାର କରିବାକୁ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସିର ବିବୃତ୍ତି ଅନୁଯାୟୀ, ପ୍ରତ୍ୟେକ ଇନିଂସରେ ଉଭୟ ଦଳକୁ ଡିଆରଏସ୍ ଅଧୀନରେ ଦୁଇଟି ରିଭ୍ୟୁ ସୁଯୋଗ ମିଳିବ।

ସାଧାରଣତଃ ଟି-୨୦ ମ୍ୟାଚ୍ ରେ ଗୋଟିଏ ଦଳ ପ୍ରତି ଇନିଂସରେ କେବଳ ଗୋଟିଏ ରିଭ୍ୟୁ ପାଇଥାଏ, କିନ୍ତୁ କୋଭିଡ-ମହାମାରୀ ସମୟରେ ଅନେକ ମ୍ୟାଚରେ ଅଭିଜ୍ଞ ଅମ୍ପାୟାରଙ୍କ ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ଜୁନ୍ ମାସରେ ଆଇସିସି କ୍ରିକେଟ୍ ର ପ୍ରତ୍ୟେକ ଫର୍ମାଟରେ ଇନିଂସ ପିଛା ଦଳମାନଙ୍କୁ ଆଉ ଏକ ଅତିରିକ୍ତ ରିଭ୍ୟୁ ସୁଯୋଗ ଦେଇଥିଲା। ଆଇସିସିର ଏହି ନିଷ୍ପତ୍ତି ପରେ ପ୍ରତ୍ୟେକ ଦଳକୁ ଟି-୨୦ ଏବଂ ଦିନିକିଆରେ ପ୍ରତି ଇନିଂସରେ ଦୁଇଟି ରିଭ୍ୟୁ ଏବଂ ଟେଷ୍ଟର ପ୍ରତ୍ୟେକ ଇନିଂସରେ ଉଭୟ ଦଳ ପାଇଁ ତିନୋଟି ରିଭ୍ୟୁ ସୁଯୋଗ ଦିଆଯାଉଛି।

ଟି-୨୦ ବିଶ୍ୱକପ ପାଇଁ ଆଇସିସି ବିଳମ୍ବରେ ଆରମ୍ଭ ହେବାକୁ ଥିବା କିମ୍ବା ବର୍ଷା ପ୍ରଭାବିତ ମ୍ୟାଚ୍ ପାଇଁ ମଧ୍ୟ ନିୟମ ପରିବର୍ତ୍ତନ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ପୂର୍ବରୁ ପ୍ରଚଳିତ ସାଧାରଣ ନିୟମ ପରି ଡକ୍ୱର୍ଥ-ଲୁଇସ୍ ପଦ୍ଧତି ଅନୁସାରେ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବା ପାଇଁ ପ୍ରତ୍ୟେକ ଦଳ ଅତିକମରେ ପାଞ୍ଚ ଓଭର ବ୍ୟାଟିଂ କରିବାକୁ ହେବ । ଏଥିସହିତ ସେମିଫାଇନାଲ ଏବଂ ଫାଇନାଲରେ ଡକୱର୍ଥ-ଲୁଇସ ଦ୍ବାରା ମ୍ୟାଚର ଫଳାଫଳ ନିର୍ଣ୍ଣୟ କରିବା ପାଇଁ ପ୍ରତ୍ୟେକ ଦଳ ଅତିକମରେ ଦଶ ଓଭର ବ୍ୟାଟିଂ କରିବାକୁ ପଡିବ।

ଆଇସିସିର ପ୍ରାୟ ସବୁ ଟୁର୍ଣ୍ଣାମେଣ୍ଟରେ ଡିଆରଏସ୍ ବ୍ୟବହୃତ ହୁଏ । ତେବେ ଏହା ୨୦୧୬ ପର୍ଯ୍ୟନ୍ତ ଟି-୨୦ ବିଶ୍ବକପରେ କାର୍ଯ୍ୟକାରୀ ହୋଇନଥିଲା | ସେହି ବର୍ଷ ଭାରତରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ୍‌ରେ ଡିଆରଏସ୍ ବ୍ୟବହାର ହୋଇନଥିଲା | ୨୦୧୮ରେ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ ହେଉଛି ପ୍ରଥମ ଆଇସିସି ଆନ୍ତର୍ଜାତୀୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଯେଉଁଠାରେ ଡିଆରଏସର ବ୍ୟବହାର କରାଯାଇଥିଲା | ଏହା ପରେ ଏହା ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-୨୦ ମହିଳା ବିଶ୍ୱକପର ୨୦୨୦ ସଂସ୍କରଣରେ ମଧ୍ୟ ଲାଗୁ ହୋଇଥିଲା |

Comments are closed.