‘ମିଶନ୍ ଦିବ୍ୟାସ୍ତ୍ର’ ଅଧୀନରେ ଅଗ୍ନି-୫ର ସଫଳ ପରୀକ୍ଷଣ, ଡିଆରଡିଓକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ‘ମଲ୍ଟିପଲ୍ ଇଣ୍ଡିପେଣ୍ଡେଣ୍ଟ ଟାର୍ଗେଟେବଲ୍ ରି-ଏଣ୍ଟ୍ରି ଭେଇକିଲ୍’ (ଏମ୍ଆଇଆରଭି) ଟେକ୍ନୋଲୋଜି ସହିତ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଅଗ୍ନି-୫ କ୍ଷେପଣାସ୍ତ୍ରର ସୋମବାର ପ୍ରଥମ ସଫଳ ପରୀକ୍ଷଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଘୋଷଣା କରିବା ସହ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)ର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ମିଶନ ଦିବ୍ୟାସ୍ତ୍ର’ ପାଇଁ ଆମର ଡିଆରଡିଓ ବୈଜ୍ଞାନିକମାନଙ୍କ ପାଇଁ ଗର୍ବିତ ବୋଲି ମୋଦୀ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି । ଏହା ଏମ୍ଆଇଆରଭି ଟେକ୍ନୋଲୋଜି ସହିତ ସ୍ୱଦେଶ ବିକଶିତ ଅଗ୍ନି-୫ କ୍ଷେପଣାସ୍ତ୍ରର ପ୍ରଥମ ଉଡ଼ାଣ ପରୀକ୍ଷଣ ବୋଲି ସେ କହିଛନ୍ତିି।

ଏମ୍ଆଇଆରଭି ଟେକ୍ନୋଲୋଜି ଅଧୀନରେ ଏକ କ୍ଷେପଣାସ୍ତ୍ରରେ ଏକାଧିକ ପରମାଣୁ ଅସ୍ତ୍ର ବହନ କରିବାର କ୍ଷମତା ରହିଥାଏ । ଏହି ଅସ୍ତ୍ର ଗୁଡ଼ିକ ଦ୍ଵାରା ବିଭିନ୍ନ ଟାର୍ଗେଟ୍ ଭେଦ କରାଯାଇପାରିବ । ଏହାର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏହାକୁ ସଡ଼କ ପଥରେ ଯେକୌଣସି ସ୍ଥାନକୁ ନିଆଯାଇପାରିବ। ଅଗ୍ନି କ୍ଷେପଣାସ୍ତ୍ରର ପୂର୍ବ ଭର୍ସନ୍ ଗୁଡ଼ିକରେ ଏହି ସୁବିଧା ନଥିଲା।

ସୂତ୍ରରୁ ପ୍ରକାଶ ‘ମିଶନ ଦିବ୍ୟାସ୍ତ୍ର’ ପରୀକ୍ଷଣ ସହିତ ଭାରତ ଏମ୍ଆଇଆରଭି କ୍ଷମତା ଥିବା କିଛି ହାତଗଣତି ଦେଶଙ୍କ କ୍ଲବରେ ସାମିଲ ହୋଇଛି । ଏହା ଗୋଟିଏ କ୍ଷେପଣାସ୍ତ୍ର ଦ୍ବାରା ବିଭିନ୍ନ ସ୍ଥାନରେ ଏକାଧିକ ଅସ୍ତ୍ର ମୁତୟନ ସୁନିଶ୍ଚିତ କରିବ ।

ଏହି ମିଶନର ପ୍ରକଳ୍ପ ନିର୍ଦ୍ଦେଶକ ଜଣେ ମହିଳା ଥିଲେ । ଏଥିରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏହି ଅସ୍ତ୍ର ପ୍ରଣାଳୀ ସ୍ୱଦେଶୀ ଏଭିୟୋନିକ୍ସ ସିଷ୍ଟମ ଏବଂ ଉଚ୍ଚ ସଠିକତା ସେନସର ପ୍ୟାକେଜ୍ ସହ ସଜ୍ଜିତ । ଏହି ସାମର୍ଥ୍ୟ ଭାରତର ବୈଷୟିକ ଜ୍ଞାନକୌଶଳର ପ୍ରତୀକ ।

ଅଗ୍ନି-୫ର ଲକ୍ଷ୍ୟଭେଦ କ୍ଷମତା ହେଉଛି ୫୦୦୦ କିଲୋମିଟର । ଦେଶର ଦୀର୍ଘକାଳୀନ ସୁରକ୍ଷା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ବିକଶିତ କରାଯାଇଛି। ଏହି କ୍ଷେପଣାସ୍ତ୍ର ଷ୍ଟ୍ରାଇକ୍ ରେଞ୍ଜରେ ଚୀନ୍‌ର ଉତ୍ତର ଭାଗ ଏବଂ ୟୁରୋପର କିଛି ଅଞ୍ଚଳ ସମେତ ପ୍ରାୟ ସମଗ୍ର ଏସିଆ ରହିଛି।

ଅଗ୍ନି-୧ ରୁ ୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ହେଉଛି ଦୂରତା ୭୦୦ କିଲୋମିଟରରୁ ୩୫୦୦ କିଲୋମିଟର । ଏହି କ୍ଷେପଣାସ୍ତ୍ର ପୂର୍ବରୁ ମୁତୟନ ହୋଇସାରିଛି । ଭାରତ ପୃଥିବୀର ବାୟୁମଣ୍ଡଳ ସୀମା ଭିତରେ ଏବଂ ବାହାରେ ଶତ୍ରୁ ଦେଶର ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଅଟକାଇବା ପାଇଁ ମଧ୍ୟ ଦକ୍ଷତା ବିକଶିତ କରୁଛି।

Comments are closed.