ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୟାବ ସିଂହ ସୈନି 

ଚଣ୍ଡିଗଡ଼: ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ନୟାବ ସିଂହ ସୈନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମଙ୍ଗଳବାର ଶପଥ ନେଇଛନ୍ତି । ମନୋହର ଲାଲ ଖଟ୍ଟରଙ୍କ ସହ ତାଙ୍କର ପୂରା କ୍ୟାବିନେଟ ଆଜି ସକାଳେ ଇସ୍ତଫା ଦେଇଥିଲେ ।
ଶପଥ ନେବା ପରେ ନୟାବ ସିଂହ ସୈନି, ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ତାଙ୍କ ସହ ବିଜେପିର ୪ ଓ ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନେ ହେଲେ କଓ୍ବଁର ପାଲ ସିଂହ ଗୁର୍ଜର, ମୁଲଚାନ୍ଦ ଶର୍ମା, ରଣଜିତ ସିଂହ ଚୌତାଲା, ଜୟପ୍ରକାଶ ଦଲାଲ ଓ ବନୱାରୀ ଲାଲ ।
ଜନନାୟକ ଜନତା ପାର୍ଟି (ଜେଜେପି) ଓ ବିଜେପି ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଆଜି ସକାଳେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସମେତ ୧୪ ଜଣ ମନ୍ତ୍ରୀ ଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପିର ତିନି ଜଣ ସଦସ୍ୟ ଥିଲେ।
ହରିୟାଣା ବିଜେପିର ଏକ ଗୋଷ୍ଠୀ ଜେଜେପି ସହ ମେଣ୍ଟକୁ ବିରୋଧ କରୁଥିଲେ । ଏହାଛଡ଼ା‌ ସେମାନେ ଖଟ୍ଟରଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ ଥିଲେ । ଦ୍ରୁତ ଗତିରେ ବଦଳୁଥିବା ରାଜ୍ୟ ରାଜନୈତିକ ପାଣିପାଗ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଥିଲେ । ଏହା ପରେ ରାଜ୍ୟ ବିଜେପି ବିଧାୟକ ଦଳର ବୈଠକ ଡକାଯାଇଥିଲା। ଏଥିରେ ରାଜ୍ୟ ବିଜେପି ସଭାପତି ନୟାବ ସିଂହ ସୈନି ନେତା ନିର୍ବାଚିତ ହୋଇଥିଲେ  । ବିଜେପି ବିଧାୟକ ଦଳର ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଦଳର ଜାତୀୟ ସାଧାରଣ ସମ୍ପାଦକ ତରୁଣ ଚୁଘ୍ ଏବଂ ହରିୟାଣା ପ୍ରଭାରୀ ବିପ୍ଲବ ଦେବ ମଧ୍ୟ ଉପସ୍ଥିତ ଥିଲେ।
କୁରୁକ୍ଷେତ୍ରରୁ ସାଂସଦ ଥିବା ସୈନି ଗତ ବର୍ଷ ଅକ୍ଟୋବରରେ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ ହୋଇଥିଲେ।
ହରିୟାଣାର ୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସମ୍ପ୍ରତି ବିଜେପିର ୪୧ ଜଣ ବିଧାୟକ ଥିବାବେଳେ ଜେଜେପିର ୧୦ ଜଣ ବିଧାୟକ ଅଛନ୍ତି। ଏହି ମେଣ୍ଟକୁ ୭ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୬ ଜଣଙ୍କର ସମର୍ଥନ ରହିଥିଲା।
ମୁଖ୍ୟ ବିରୋଧୀ କଂଗ୍ରେସର ୩୦ ଜଣ ବିଧାୟକ ରହିଥିବା ବେଳେ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନ୍ଏଲଡି) ଏବଂ ହରିୟାଣା ଲୋକହିତ ପାର୍ଟିର ଗୋଟିଏ ଲେଖାଏଁ ସଦସ୍ୟ ଅଛନ୍ତି ।

Comments are closed.